STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଛାଇ ହାଇ

ଛାଇ ହାଇ

1 min
354


ଗଛ ଛାଇ ଦୃଶ୍ୟମାନ ସଦା

ସହଜରେ ଅନୁଭବ

ମଣିଷର ହାଇ ଅଦୃଶ୍ୟ ଆକାରେ 

ତଥାପି ଅଛି ପ୍ରଭାବ

ସୁଶିତଳ ଛାଇ ବୃକ୍ଷ ନିମ୍ନ ଦେଶେ

ଅବଶ୍ୟ ହିତ ସମ୍ପ୍ରତି 

ସେ ଛାଇ ପ୍ରଭାବ ନୁହେଁ ହିତକାରୀ 

ଅନ୍ୟ ଏକ ବୃକ୍ଷ ପ୍ରତି

ଅଦୃଶ୍ୟ ପ୍ରାୟତଃ ପ୍ରଭାବ ପ୍ରକ୍ରିୟା

ଛାଇ ଅଭ୍ୟନ୍ତରରେ

ଛାଇ ମଧ୍ୟେ ଥିବା ଅନ୍ୟ ଗଛ ପ୍ରାୟ

ଉଧାଏ ନାହିଁ ସେଠାରେ

ଗଛ ବୃଦ୍ଧି ପାଇଁ ମୁଖ୍ୟ ଉପାଦାନ

ସୂର୍ଯ୍ୟଙ୍କ କିରଣ ଧାରେ

ମାଟି ପାଣି ଉପଲବ୍ଧ ଥିଲେ ସୁଦ୍ଧା 

ଶକ୍ତି, ସୂର୍ଯ୍ୟ କିରଣ ରେ

ଶାପ ଗ୍ରସ୍ତ ସମ ବଞ୍ଚାଇ ନିଜକୁ

ଗଛ ତଳେ ଥିବା ଗଛ

ନିଜର ବିକାଶ ବାଧା ପ୍ରାପ୍ତ ଜାଣି

ଜୀବନକୁ ମଣେ ତୁଚ୍ଛ 

ଗଛ ନିମ୍ନ ଭାଗେ ଅନ୍ୟ ଏକ ଗଛ

ବୃଦ୍ଧି ବିହୁନେ ଅଥୟ

ଯେଉଁ ପ୍ରକ୍ରିୟାର ରହିଛି ପ୍ରଭାବ

ଗଛର ହାଇ ପ୍ରତ୍ୟୟ


ସୂର୍ଯ୍ୟଙ୍କ କିରଣ ଆବୋରି ରହିବା

ହାଇ ସମ ସେ' ଗଛର

ଅନ୍ୟ ମଣିଷର ପ୍ରଗତିରେ ବାଧା

ହାଇ ସମ ମଣିଷର 

ଜାତ ହୁଏ ସନ୍ତାପିତ ହୃଦୟରେ 

ଯନ୍ତ୍ରଣା ରୂପକ ହାଇ

ଗଛ ଛାଇ ପରି ଅନ୍ୟର ଦୌରାତ୍ମ୍ୟ

ପ୍ରାୟ ପ୍ରତ୍ୟୟ ହୁଅଇ

ଜାଣି ଶୁଣି ଯଦି ବାଧା ସୃଷ୍ଟି ହୁଏ

ଅନ୍ୟର ପ୍ରଗତି ପଥେ

ପ୍ରକାରାନ୍ତେ ଆପେ ଅଶାନ୍ତି ଉଦ୍ରେକ

ବାଧା ପ୍ରାପ୍ତ ବ୍ୟକ୍ତି ଚିତ୍ତେ

ଅନ୍ୟାୟ ଅବା ଅତ୍ୟାଚାର ଧାରେ

ହୃଦୟ ଯେବେ ଅଶାନ୍ତ 

ଅନ୍ତରର କୋହ ଦୀର୍ଘଶ୍ୱାସ ରୂପେ

ସହଜେ ପ୍ରତିଫଳିତ

ଛଳନା,ବାହାନା ଅବା ପ୍ରତାରଣା

ଯଦି ହୁଏ କାର୍ଯ୍ୟକାରୀ

ସରଳ ମଣିଷ ହୃଦୟେ ଯନ୍ତ୍ରଣା

ଅନୁମେୟ ସର୍ବୋପରି

ମଣିଷ ମଣିଷ ପ୍ରତି ଈର୍ଷା ଭାବ

ଅବା ଷଡ଼ଯନ୍ତ୍ର ଧାରେ

ସର୍ବନାଶ ଅବା ଭଗ୍ନ ହୃଦୟରୁ

କଷ୍ଟ ପ୍ରତ୍ୟୟ ହାଇରେ 


ଛାଇ ଅବା ହାଇ ବାଧକ ହୁଅଇ

ପ୍ରଗତି ,ବିକାଶ ପଥେ

ଗଛ ଛାଇ ସାଥେ ମଣିଷର ହାଇ 

ଦୃଷ୍ଟାନ୍ତ ବି ଲୋକମତେ 

ଗଛ ତଳେ ଅନ୍ୟ ଗଛ ଧାରେ ଶିକ୍ଷା

ଗ୍ରହଣ ହେଉ ହୃଦରେ

ଅନ୍ୟର ବିକାଶ ପଥରେ ବାଧକ

ନ ହେଉ ହାଇ ଆକାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract