ଲାସ୍ୟମୟୀ ଲାବଣ୍ୟମୟୀ ଉତ୍କଳ
ଲାସ୍ୟମୟୀ ଲାବଣ୍ୟମୟୀ ଉତ୍କଳ
ମୋ ଉତ୍କଳ ଅଟେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ,
ତ୍ରିବେଣୀ ସଂଗମ ପୁଣ୍ୟ-ଜଳଧିର
ଏହାର ପ୍ରତିଧୂଳି କଣା ପତିତପାବନୀ ପବିତ୍ର ଜଳ
ସ୍ପର୍ଶରେ ପୂତ ପୟୋନିଧିର ।
ମିଳେ ବହୁ ଅମୁଲ୍ୟ ଧାତୁର
ଅସରନ୍ତି ଭଣ୍ଡାର ମାଟି
ଆଡେଇ ଦେଲେ ଆମ ରାଜ୍ୟ ଭିତରେ
ଶୋଭିତ ସପ୍ତଶଯ୍ୟା, ଶିମିଳିପାଳ, ଚିଲିକା, ଚନ୍ଦ୍ରଭାଗା,
ଦେଓମାଳି ଦାରିଙ୍ଗବାଡି, ଡେବିରିଘାଟ ଭିତରକନିକାରେ ।
ଶିବଙ୍କର ବ୍ରହ୍ମହତ୍ୟା ପାପ ମୋଚନ ହୋଇଛି ପାଦ
ପକେଇ ଏ ପବିତ୍ର ଭୂମିରେ
ଚଣ୍ଡା ଶୋକ ଧର୍ମାଶୋକ ହୋଇଗଲେ ଗୋଡଦେଇ
ମୋ ପବିତ୍ର ମାତୃଭୂମି ମାଟିରେ ।
ପ୍ରକୃତିର ଚାରୁହମ୍ୟ ଶାଳିନୀ ଉପବନରେଶୋଭିତା
ହୋଇଛି ଉତ୍କଳ ଜନନୀ ମୋର
ଲାସ୍ୟମୟୀ ଲାବଣ୍ୟମୟୀ
ମନ୍ଦିର ମାଳିନୀରୁ ମରାଳ ମାଳିନୀ ପର୍ଯ୍ୟନ୍ତ ପ୍ରଳମ୍ବିତ ସୌନ୍ଦର୍ଯ୍ୟ ତାର ।
ଏମିତି ଭୂମି କୋଉଠି ଅଛି
ଯାହାର ସୁରକ୍ଷା ପାଇଁ ସୈନିକ
ନୁହେଁ ସ୍ୱୟଂ ଆଦ୍ୟା ଶକ୍ତିହିଁ ଯୁଦ୍ଧକୁ ଯାଏ ।
ଏମିତି କୌଣସି ଯୁଦ୍ଧ ନାହିଁ
ଯେଉଁ ଯୁଦ୍ଧରେ ପାଇକ ପୁଅ
ସହ ମା' ବରୁଣେଇ ଯୁଦ୍ଧକୁ ଯାଇ ନଥାଏ ।
ରଚିଥିଲା ଦୁର୍ଦ୍ଦଶ ଯବନ
ସେନାପତି କଳାପାହାଡ଼ ମୋ
ମା ମାଟିରେ ସବୁଆଡେ ହା ହା କାର
କୋଣାର୍କ ମୁହାଣରେ ମାଠିଆ
ଧରି ବୁଢ଼ୀ ତାକୁ ବୋକା
ବନେଇ ଦେଲା, ମନେ ପଡେ କାହାଣୀ ସେଦିନର ।
ଅଲୌକିକ, ଅବର୍ଣ୍ଣନୀୟ ଅଟେ ମୋ
ମା ମାଟିର ଗାରିମା,
ଅବ୍ୟକ୍ତ ଏହାର ଇତିହାସ କଥା
ବର୍ଣ୍ଣନା କରିବାକୁ ଯାଇ
ପୁରାଣ ହୋଇଛି ପରାସ୍ତ, ଆଉ
ସାହିତ୍ୟ ହୁଏ ଶବ୍ଦହୀନ ଗାଇବାକୁ ତାର ଗାଥା ।
ଦିନଥିଲା ଆମ ରାଜ୍ୟ ଅର୍ଥନୀତି
ବେଶ ସମୃଦ୍ଧ ଥିଲା ଓ
କଳିଙ୍ଗରୁ ହୀରା ରୋମକୁ ରପ୍ତାନି ହେଉଥିଲା
ଓଡିଶା ଆଜି ଦରିଦ୍ର କାହିଁକି,
ଯେଉଁ ମାଟିର ଝିଅ ସୁନା
ଚାନ୍ଦ ନହେଲେ ଖେଳିବନି ବୋଲି ଜିଦ୍ କରୁଥିଲା ।