ଜୀବନଟା ନଦୀଟିଏ
ଜୀବନଟା ନଦୀଟିଏ
ଜୀବନକୁ କିଏବା ବୁଝିଛିଯେ
ଟିକିନିଖି ବୁଝାଇ ଦେବ
ଆଲଜେବ୍ରାର ଫର୍ମୁଲାରେ
ଅବା ଲଜିକ୍ ର ଜଟିଳ ତର୍କରେ !
ଜୀବନଟା କଣ ?
କେବଳ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତର ପଥ ?
ଯାହା ସରିଯିବ କିଛି ବର୍ଷ, କିଛି ମାସ,
ଅବା କିଛି ଦିନରେ ?
ପାନ୍ଥଶାଳାର ବନ୍ଦ କୋଠରୀରେ
ଅନେକ ଅଜଣା ନାମ ସାଥେ
ନିଜ ନାମ ଲେଖିଦେଇ
ପୁଣି ଭୂଲିଯିବାକୁ ହୁଏ
ଅଳନ୍ଧୁଲଗା ବିବର୍ଣ୍ଣ କାନ୍ଥରେ ।
ଯାତ୍ରା କେବେ, ଅକସ୍ମାତ ସରିଯାଏ,
ବେଳ ଅବେଳରେ,
ପାନ୍ଥଶାଳା ସେଇଠି ସେମିତି
ପଛେ ପଡିରହେ,
କିଛି ନାମ ଇତିହାସ ହୁଏ,
ଆଉ କିଛି ସ୍ମୃତି,
ହଜିଯାଏ ବିସ୍ମୃତିର ଅନ୍ଧକାରେ ।
ଜୀବନଟା କେବଳ,
ବୟସର ଲମ୍ବା ଗଣିତ ନୁହେଁ,
ଜୀବନଟା ମଣିଷ ଜୀବନର
ଲକ୍ଷ୍ୟର ପରିଭାଷା ।
କଣ କହିଗଲ, କେହି ବୁଝେନା
କେତେ ପଥ ଚାଲିଲ,
କେହି ହିସାବ ରଖନା,
କେବଳ ମନେରହେ
କେତେ କଣ ଦେଇଗଲ ଆଶା
କେତେ ଜିତିଲ ଅନ୍ୟର ଭରସା ।
ଜୀବନଟା କେତେ ଲମ୍ବା ହେଲା
ସେଥିରେ କିଛି ଫରକ ପଡେନା,
କେତେ ଏକାଠି କଲ
କେତେ ଖାଇଗଲ, ପିଇଗଲ
କିଏ ପଚାରେ ସେକଥା,
ସବୁ କିଛି ଜଳିଯାଏ,
ଯେତେ ବେଳେ ଜଳେ
ମଶାଣୀରେ ମଣିଷର ଚିତା ।
ଜୀବନଟା ନଦୀଟିଏ ପରି
ଲକ୍ଷ୍ୟ ତାର ବିଶାଳ ସମୁଦ୍ର
ନଦୀ କେବେ ପଚାରେନା ସମୁଦ୍ରର ପଥ ।
ଅର୍ଜୁନର ଆଖିରେ ଦିଶେ
ଜୁଳୁ ଜୁଳୁ ଚଡେଇର ଆଖି
ଲକ୍ଷ୍ୟ ଯାର ସ୍ଥିର
ଆପେ ଆପେ ମିଳିଯାଏ ପଥ
ଚିନ୍ତାନାହିଁ, ଜନାର୍ଦ୍ଦନ ବାହିନେବେ ରଥ ।
******