ଶୂନ୍ଯ ନୀଡ
ଶୂନ୍ଯ ନୀଡ
କେବେ ଯଦି ଜୀବନ ଜଞ୍ଜାଳରୁ
ଦୁଇ ଘଡି ଫୁରସତ୍ ମିଳିବ,
ସେଇଥିରୁ ଘଡିଏ,
ମୋ ପାଇଁ ସାଇତି ରଖିବ,
ଧଳା କଳା ମିଶା ଉଲୁରା ବାଳ ସଜାଡି
ପଣତରେ ଝାଳ ପୋଛି ପୋଛି
କେବେ ଯଦି ଆସିବ,
ଅଗଣାର ବଉଳ ମୂଳରେ
ମୋ ପାଖେ ଖୁନ୍ଦି ହୋଇ ଦି’ଘଡି ବସିବ ।
ତୁମେ କିଛି କହିବ, ମୁଁ କିଛି କହିବି
ନିଜ କଥା କହି ଶୁଣି
କେବେ ହସି, କେବେ ପୁଣି
ଆଖି ଲୁହ ପଣତରେ ପୋଛିବା,
ସମୟ ସୁଅରେ ବିତି ଗଲା ଦିନ
ଆଉ ହଜି ଗଲା ବୟସର
ହିସାବ କିତାବ ସାଥି ହୋଇ କରିବା ।
ଜୀବନ କେମିତି ଥିଲା,
ସମୟର ସୁଅରେ
କେତେ କଥା ବୋହି ଗଲା
: rgb(0, 0, 0);">ସଂସାରର ଟେଢା ମେଢା ରାସ୍ତାରେ
ପଥ ଚାଲୁ ଚାଲୁ କେତେ କଣ ପାଇଲେ,
ଆଉ କଣ ହରାଇ ଦେଲେ,
ଯାତ୍ରାର ଅନୁଭବ ନିଜ ସାଥେ ବାଣ୍ଟିବା ।
ଆମ ଜୀବନର ଯାତ୍ରା
କେଉଁଠୁ ଯାତ୍ରା ଆରମ୍ଭ ହେଲା
ଆଜି ଆସି କେଉଁଠି ପହଞ୍ଚି ଗଲା,
ଚଳ ଚଞ୍ଚଳ ଏ ଘରର ଗହଳ ଚହଳ
ଆଜି ସତେ ସ୍ୱପ୍ନ ପରି ଲାଗେ,
ସମୟର ସାଥେ, କଥା ସବୁ ସ୍ମୃତି ହୋଇ ଗଲା ।
ତୁମେ ମୋର ସାଥେ ଅଛ,
ଜୀବନର ସଂଧ୍ୟାରେ ସବୁ କିଛି ମନେପଡେ,
ବର୍ଷ ଆଉ ବୟସ ବଢିବା ଭିତରେ
ଏ ଦେହ, ଏ ମନରେ
ସମୟ କେତେ ରଙ୍ଗ ବୋଳି ଦେଲା
କେତେ କେତେ ଘାଆ ଦେଇ ଗଲା
ରଙ୍ଗ ସବୁ ଧୋଇ ଗଲା ପରେ
ଘାଆ ଯେତେ ସୁଖି ଗଲା ପରେ
ଦାଗ ଯେତେ ଜଳ ଜଳ ଦିଶେ ।