STORYMIRROR

Gunanidhi Samal

Abstract Others

3  

Gunanidhi Samal

Abstract Others

ତୋତେ ପୂଜିବାକୁ ଧନ ନାହିଁ

ତୋତେ ପୂଜିବାକୁ ଧନ ନାହିଁ

1 min
39

ତୋତେ ପୂଜିବାକୁ ଧନନାହିଁ, ତୋତେ

 ଭେଟିବାକୁ ବେଳ କାହିଁ

ସଂସାର ଜଞ୍ଜାଳ ମୁଣ୍ଡାଇ ଦେଇଛୁ

ଚାଲିବାକୁ ବଳ ନାହିଁ.....

ତୋତେ ପୂଜିବାକୁ........।

ରହୁଛୁ ତୁ କାଳେ ମହୋଦଧି କୂଳେ

ବଡ ଦେଉଳରେ ଯାଇ

ବାଇଶି ପାହାଚ ନ'ଉଠିଲେ କାଳେ

ତୋ ଦେଖା ମିଳଇ ନାହିଁ,

ଏ ଓଳି ସେ ଓଳି ମୁଣ୍ଡ ମୁଁ" ଗୁଞ୍ଜୁଛି

ବାସଘର ଖଣ୍ଡେ ନାହିଁ....

ତୋତେ ପୂଜିବାକୁ.........।

ରତ୍ନ ସିଂହାସନେ ବସିଛୁ ତୁ' ପରା

ଭାଇ ଭଉଣୀଙ୍କୁ ନେଇ

ପୂଜାପଣ୍ଡା ପରି ରୂପ ଚମକୁଛି

ଷାଠିଏ ପଉଟି ଖାଇ,

ଖଟିଖଟି ମୋର ପେଟ ପିଠି ଲାଗେ

ଭାତ ମୁଠେ ମିଳେନାହିଁ.....

ତୋତେ ପୂଜିବାକୁ...........।

ବରଷକେ ଥରେ ନନ୍ଦିଘୋଷ ପରେ

ଯାଉଛୁ ଗୁଣ୍ଡିଚା ବାଡ଼ି

ଦାଣ୍ଡ ଦୁଲୁକାଇ , ଦିଗ ଚମକାଇ

ରଥ ଯାଏ ଗଡିଗଡି,

ଖାଲିହାତେ ତୋତେ ଭେଟିବି କେମନ୍ତେ

ସରମ କି'ମୋତେ ନାହିଁ....

ତୋତେ ପୂଜିବାକୁ............।

ଏ ଜନମେ ସିନା ଯାଇ ପାରିଲିନି

ଆର ଜନମକୁ ଯିବି

ତୋ' ବଡ଼ଦାଣ୍ଡରେ ଯୋଗୀଟିଏ ହୋଇ

ତୋର ନାମ ଗାଉଥିବି,

ଦିନ କାଟୁଥିବି ଶରଧା ବାଲିରେ

ତୋର ନୀଳଚକ୍ର ଚାହିଁ.....

ତୋତେ ପୂଜିବାକୁ.............।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract