ଲାବଣ୍ୟବତୀ
ଲାବଣ୍ୟବତୀ
ଅଳପ ହସରେ ମୁଠାଏ ଫଗୁଣ
ବହଳେ ବଉଦ ଭାସେ !
ଅଳସୀ ଛଟାରେ ଉଆଁସୀ ରାତିରେ
ଜହ୍ନ କିରିକିରି ହସେ !!
ଆଖି ଇସାରାରେ ଅସରା କାହାଣୀ
ନୀରବ ଓଠର ଭାଷା !
ନୀରବ ହେଲେ ବି ନମ୍ରତାପଣରେ
ମଧୁରିମା ଅଙ୍କକଷା !!
କାହା ପାଇଁ ତୁମେ କି ରୂପ ନେଇଛ
ମୋ' ପାଇଁ ରଜନୀଗନ୍ଧା !
ନିର୍ଜନ ରାତ୍ରିର ନିଃଶବ୍ଦ ପ୍ରହରେ
ମୁଁ ତୁମ ଶବ୍ଦରେ ବନ୍ଧା !!
ବାନ୍ଧି ମୁଁ ହୋଇଛି ତୁମରି ମନର
ସୁଗମ ସଙ୍ଗୀତ ସୁରେ ,
ସେଇ ସଙ୍ଗୀତର ମୃଦୁ ଲହରୀରେ
ମଳୟର ବାସ ଝରେ !!
ଲାବଣ୍ୟବତୀ ଗୋ ! ଶବ୍ଦ ମୁଁ ପାଉନି
ଦେବାକୁ ତୁମ ଉପମା ,
ହଜାର ହଜାର ରୂପସୀ ମେଳରେ
ତୁମେ ଏକା ନିରୁପମା !!
ଗବାକ୍ଷ ଫାଙ୍କରେ କଣେଇ କଣେଇ
ଜହ୍ନ କିରିକିରି ହସେ ,
ତୁମରି ହସର ଚମ୍ପା ଚହଟରେ
ଆକାଶରୁ ଫୁଲ ଖସେ !!
ପ୍ରିୟତମା ! ତୁମ ମୃଦୁ ଅଭିମାନ
ଫଗୁଣ ଫୁଲ ପରିକା !
ପୁନେଇଁ ଚାନ୍ଦ ବି ଫୁଲେଇପଣରେ
ଲାଗେ ତୁମଠାରୁ ଫିକା !!
ଫୁଲେଇ ଫଗୁଣ ତୁମ ସହଚରୀ
ମିଠା ମିଠା ସ୍ୱପ୍ନ ବିଞ୍ଚେ !
ମଧୁ ମଳୟର ପରଶ ଖୋ
ଜେନି
ପ୍ରୀତିର ଗାଲିଚା ରଚେ !!
ଭାବ ଅଭାବର ଏଇ ଦୁନିଆରେ
ବନ୍ଧନର ଭାବ କାହିଁ !
ବନ୍ଧନ ଯେ ଆଜି ବନ୍ଧ୍ୟା ପାଲଟିଛି
ଆଶାତୀତ ସ୍ୱାର୍ଥ ନେଇ !!
ନିଶାର୍ଦ୍ଧରେ ତୁମ ଚିତ୍ରପଟ୍ଟ ଭାସେ
ଶର୍ବରୀ କବରୀ ହୋଇ !
ଜହ୍ନ ଜୋଛନାକୁ କିଏ ପଚାରୁଛି
ଚନ୍ଦ୍ରମା ଲୁଚଇ ଯାଇ !!
କହିଲ ଗୋ ସଖି ! ଶବ୍ଦମାନେ କ'ଣ
ପ୍ରଣୟରେ ଅଭିଷିକ୍ତ !
ସେଥିପାଇଁ ବୋଧେ ତୁମ ଶବ୍ଦମାନେ
ପ୍ରଣୟେ ସ୍ୱୟଂଶାସିତ !!
କେଉଁ ପରିଚୟେ ପ୍ରତିଷ୍ଠିତ ହେବ
ଏହି ବନ୍ଧୁତା ଆମରି ?
ସଖୀ, ସାଥୀ ,ବାନ୍ଧବୀ ବା ପ୍ରିୟତମା
ସବୁରେ ତୁମେ ସୁନ୍ଦରୀ !!
ତୁମ କଳ୍ପନାର ଭାବ ବିନ୍ୟାସରେ
ଶବ୍ଦ ଅଳଙ୍କାର ଦେଇ ,
ମୋ' କାବ୍ୟ-କାମିନୀ ରୂପସୀ ସାଜିବ
ତୁମ ପ୍ରତିବିମ୍ବ ହୋଇ !!
ପ୍ରୀତି ପରଶରେ ପ୍ରୀତି ପ୍ରାପ୍ତି ହୁଏ
ପ୍ରୀତିର ନଥାଏ ଅନ୍ତ ।
ଅନୈସର୍ଗିକତା ପ୍ରୀତିପଣତକୁ
କରିଦିଏ ଅର୍ଦ୍ଧମୃତ !
ଓଠରେ ତୁମରି ଆପେ ଯାଏ ଝରି
ବହଳେ ଅସରା ପ୍ରୀତି ,
ସେଥିପାଇଁ ତୁମ ନାଁ ରଖିଥିଲି
ପ୍ରୀତି ମୋ' "ଲାବଣ୍ୟବତୀ" !!