ଲାବଣ୍ୟବତୀ ଗୋ !
ଲାବଣ୍ୟବତୀ ଗୋ !
ଲାବଣ୍ୟ ବତୀ ଗୋ ଲବଣୀର ସମ
ତୁମ ରୂପାଜହ୍ନ ମୁହଁ,
ମୋ ମନ ଆକାଶେ ଉଦୟ ହୋଇଣ
ମନରେ ଉଠାଏ କୋହ||
ହସରେ ତୁମର ଝରଇ ମୁକୁତା
ଆଖିରେ ମେଘ ମହ୍ଲାର,
ବରଷି ଦେବ କି ପ୍ରୀତିର ପୀୟୂଷ
ହରି ନେବ ମନ ମୋର ??
ନାଶାଗ୍ର ତୁମର ଶୁଆ ନାକ ସମ
ବେଣୀ ମୟୂରର ପୂଚ୍ଛ,
ତୁମ ଦୀର୍ଘ ଘନ କଳା କେଶ ଦେଖି
ଅପ୍ସରୀ ମଣିବ ତୁଚ୍ଛ||
ତୁମଓଠ ଦେହେ ଚପଳା ଚମକ
ଝରିବ କି ପ୍ରୀତି ମଧୁ?
ଯେଉଁ ମଧୁପାନେ ସନ୍ତୃପ୍ତ ହୋଇବ
ମୋ ବିରହ ଜ୍ଜ୍ବାଳା ସିନ୍ଧୁ ||
ତୁମରି ଗାଲରେ ଅବିରର ରଙ୍ଗ
ଦେଖିପାରେ ସ୍ପଷ୍ଟ କରି,
ସାତରଙ୍ଗ ସଙ୍ଗେ ପ୍ରୀତି ରଙ୍ଗ ଦେଖି
ନିଜକୁ ଦିଏ ବିସ୍ମରି ||
ତୁମ ଗ୍ରୀବା ଦେହେ ଦେଖି ମୁଁ ପାରୁଛି
ରମ୍ୟ ଶିଖି ଗ୍ରୀବା ଶିରୀ,
ମନ ଗଗନରେ କଳା ମେଘ ଦେଖି
ନାଚେ ମୋ ମନ ମୟୂରୀ||
କମନୀୟ କର୍ଣ୍ଣେ ସୁନା କାନ ଫୁଲ
ପବନରେ ଖେଳି ଦୋଳି,
ଚପଳା ଚମକେ ଦେଇ ଝଲସାଇ
କରୁଅଛି ଝିଲିମିଲି ||
ଲାବଣ୍ୟବତୀ ଗୋ ତୁମ ଲାବଣ୍ୟର
କାହିଁ ବି ଉପମା ନାହିଁ,
ଅତିନ୍ଦ୍ରୀୟ ଦେଶେ ମନକୁ ହଜାଏ
ଭାବନା ରାଇଜେ ନେଇ ||