କୁଞ୍ଜବନେ ସଞ୍ଜ
କୁଞ୍ଜବନେ ସଞ୍ଜ
ଜୋଛନା ପଣତେ କଷି ତାରା ଫୁଲ
ସାୟାନ୍ତନି ସଜ ହେଉଛି
ଚାନ୍ଦ ମୁହିଁ ସଞ୍ଜ-ତାରା ଟୋପା ଟିପି
କପାଳେ ଲଗେଇ ଚାହୁଁଛି
ସତେ ଶୀତ ସଞ୍ଜ କୁଞ୍ଜେ ନଉଁଛି।।
ଛଳ ଛଳ ଜଳ ଢେଉ କଳ କଳ
ଚହଲୁଛି ଚାନ୍ଦ ମୁହଁ ଢଳ ଢଳ
ତୋରା ତୋରା ଗୋରା ଗଣ୍ଡ ମଣ୍ଡଳୁ କି
ଜ୍ୟୋତି ଝଲମଲ ହେଉଛି
ଶୀତ ସିକ୍ତ ସଞ୍ଜ ସଜ ହେଉଛି।।
ଛୁଇଁ ଛୁଇଁ ଯାଏ ଶୀତଳ ପବନ
ଶିହରେଇ ଦେଇ ଯାଏ ତନୁ ମନ
ପଣତକୁ ଭିଡି ଜଡ଼ି ଅଙ୍ଗେ ଅଙ୍ଗେ
ବିଭାବରୀ ସଙ୍ଗେ ମଜ୍ଜୁଛି
ଶତ ଶୀତ ଶିହରଣେ ଭିଜୁଛି।।
ପ୍ରିୟତମ ବିନା ମହୁଆ ମାଦକ
ଜିଗର ଜଳାଏ ଶୀତାଂଶୁ ଆତପ
କହ ସହୀ ଯାଇ ମନମୋହନକୁ
ମନ ମୋ ଉଚ୍ଛନ୍ନ ହେଉଛି
ଶୀତ ଉତ୍ତାପ ହୃଦୟ ଦହୁଛି
ସଞ୍ଜ ଯାଇ ଯେବେ ରଜନୀ ହୋଇବ
କୁଞ୍ଜବନେ ଯଦି ନଇବେ ମାଧବ
ବିତିବ ରଜନୀ କିମତେ ସଜନୀ
ମନ ମୋହନକୁ ମୁରୁଛି
ଜୀବ ଜୀବ-ରତନକୁ ଝୁରୁଛି।।