କୁନିଝିଅର ପ୍ରାର୍ଥନା
କୁନିଝିଅର ପ୍ରାର୍ଥନା
କୁନି-ଝିଅଟିଏ ମନ୍ଦିରକୁ ଆସେ
ଅଟକେ ନାଇଁ ସେ କେଉଁଦିନ,
ଆଖିବୁଜି ବସେ ପ୍ରଭୂଙ୍କ ଆଗରେ
ଧୀରେ କରେ କିଛି ଉଚ୍ଚାରଣ ।
ଦୁଇହାତଯୋଡି ବସିଥାଏ ସିଏ
କିଛି-କ୍ଷଣପରେ ଆଖିଖୋଲେ,
ମୁଣ୍ଡିଆଟେ ମାରି ଫେରିଯାଏ ପୁଣି
ଧାଇଁ ଲୁଚିଯାଏ ନିମିଷରେ ।
ପୂଜାରୀ ଦେଖିଲେ ଆଶ୍ଚର୍ଯ୍ୟ ହେଲେ
ଭାବିଲେ ଏ ଝିଅ କରେ କିସ ?
ଜାଣିତ ନଥିବ ପ୍ରାର୍ଥନା ସେ କିଛି
ଜାଣି ବି ନଥିଵ ଭକ୍ତି-ରସ ।
ଦିନେ ତାକୁ ଜଗି ରହିଲେ ପୂଜାରୀ
ଝିଅଟି ଆସିଲା ଖରତରେ,
ନିତିଦିନଭଳି ପ୍ରାର୍ଥନା ସାରି ସେ
ବାହାରିଲା ପୁଣି ତରତରେ।
ଆସିଲେ ପୂଜାରୀ ପାଖକୁ ତାହାର
ତା' ମୁଣ୍ଡେ ରଖିଲେ ନିଜ ହାତ,
କହିଲେ ମାଆରେ ! ମନ୍ଦିରକୁ ଆସି
କଅଣ କରୁଛୁ ? କହ ସତ ।
ଝିଅଟି କହିଲା ପ୍ରାର୍ଥନା କରୁଛି
ଠାକୁରଙ୍କ ଆଗେ ହାତଯୋଡି,
ତୁ କ'ଣ ଜାଣିଛୁ ପ୍ରାର୍ଥନାର ମନ୍ତ୍ର ?
କହ ଝିଅ ! ମତେ ସତକରି।
ଜାଣିନାହିଁ କିଛି ପ୍ରାର୍ଥନାର ମନ୍ତ୍ର
ଜାଣିନି ପ୍ରାର୍ଥନା ଵିଧି କିଛି,
ବର୍ଣ୍ଣମାଳାର ଅକ୍ଷର ବ୍ୟତିତ
ଜାଣିନାହିଁ ମୁଁ ଯେ ଆଉ କିଛି ।
କିମିତି କରୁଛୁ ପ୍ରାର୍ଥନା ତେଵେ ତୁ ?
ଆଶ୍ଚର୍ଯ୍ୟରେ ସିଏ ପଚାରିଲେ ।
ବର୍ଣ୍ଣମାଳାର ଅକ୍ଷରସବୁ ମୁଁ
ଠାକୁରଙ୍କ ଆଗେ ନିତି ବୋଲେ ।
ସାତଟି ଥର ମୁଁ ଆବୄତ୍ତି କରୁଛି
ବର୍ଣ୍ଣମାଳାର ସବୁ ଅକ୍ଷର,
ଯୋଡି ଦୁଇ ହାତ କହୁଛି ପ୍ରଭୂ-ହେ !
ପ୍ରାର୍ଥନା ଜାଣିନି ମୁଁ ତୁମର ।
ଯେଉଁଥିରେ ତୁମେ ଖୁସିହେବ ନାଥ !
ସେହି ମନ୍ତ୍ର ସିନା ଜାଣିନାହିଁ,
ବର୍ଣ୍ଣମାଳାର ଅକ୍ଷର ସବୁକୁ
ତୁମ ଆଗେ ରଖିଛି ସଜାଇ ।
ଯେଉଁ ପ୍ରାର୍ଥନାରେ ତୁମ ଖୁସି ପ୍ରଭୂ !
ଏଇ ଅକ୍ଷରରୁ ନିଅ ଵାଛି,
ସେଇଟି ମୋହର ପ୍ରାର୍ଥାନା ହେ ପ୍ରଭୂ !
ଅଭିଳାଷ ନାହିଁ ଆଉ କିଛି ।
ତନ୍ମୟ ହେଲେ ପୂଜାରୀ ସେଦିନ
କୁନି-ଝିଅଟିର କଥା ଶୁଣି,
କହିଲେ ମାଆଲୋ ! ଶିଖାଇଲୁ ଯାହା
ଆଜିଯାଏ ନଥିଲି ମୁଁ ଜାଣି ।
ପ୍ରଭୂଙ୍କୁ ପ୍ରାର୍ଥନା କରିବା ପାଇଁ ତ
ମନ୍ତ୍ର ଯନ୍ତ୍ର କିଛି ଲୋଡାନାହିଁ,
ଲୋଡା ଖାଲି ଏକ ଛଳଛଳ ମନ
କୂଟିଳତା ଯାକୁ ଛୁଇଁନାହିଁ ।