ଆମେ ଓଡିଆ
ଆମେ ଓଡିଆ
ଓଡ଼ିଆ ଆମେ, ଓଡ଼ିଆ ଆମେ,
ଓଡିଶା ଆମ ରାଜ୍ୟ,
ଦେଉଳ, ଗୁମ୍ଫା, ଦେହରେ ଅଛି,
ଶିଳ୍ପୀଙ୍କ କାରୁ-କାର୍ଯ୍ୟ !
ଆମ ରାଇଜେ, ପୁରୀରେ ଅଛି,
ଜଗନ୍ନାଥଙ୍କ' ଧାମ,
କଟକେ ହୁଏ, ଚାନ୍ଦି ରୂପାରେ,
.ତାରକସିର କାମ !
ସବୁଠୁଁ ବଡ଼,ଚିଲିକା ହ୍ରଦ,
ପାଣି ଯାହାର ଲୁଣି,
ଭରି ରହିଛି, କୋଇଲା, ଲୁହା,
ଧାତୁ-ପଥର ଖଣି !
ଓଡିଶୀ ନୃତ୍ୟ, ଦେଶ-ବିଦେଶେ,
ଦିଅଇ ପରିଚୟ,
ଖୋର୍ଦ୍ଧା ପାଇକ, ବୀରଙ୍କୁ ଥିଲା,
.ବ୍ରିଟିଶ ସେନା ଭୟ !
ପଞ୍ଚ-ସଖାଙ୍କ', ପୋଥିରୁ ଆମେ,
ଅରଜିଥାଉ ଜ୍ଞାନ,
ତନ୍ତରେ ବୁଣା, ବସ୍ତ୍ର ରଖିଛି,
ବୁଣାକାରଙ୍କ' ମାନ !
ତିରିଶି ରାଜ୍ୟ, ଭିତରେ ଏହା,
ଅଗ୍ରଣୀ ଭବେ ଗଣା,
ବାରବାଟୀର ଭଗ୍ନ ଦୁର୍ଗରୁ,
ବୀରତ୍ୱ ହୁଏ ଜଣା !
ହୀରାକୁଦର ଆନିକଟରୁ,
ବିଜୁଳି-ଶକ୍ତି ଆସେ,
ଫସଲ ପାଇଁ, କୃଷକ କ୍ଷେତ,
ବରଷ ସାରା ଚଷେ !
ବିଧାନସଭା, ସଚିବାଳୟ,
ଭୁବନେଶ୍ୱରେ ଅଛି,
ବଙ୍ଗୋପ-ସିନ୍ଧୁ, ତରଙ୍ଗ-ମାଳା,
ଆନନ୍ଦେ ଉଠେ ନାଚି !
ବାରଙ୍ଗଠାରେ, ଚିଡ଼ିଆ-ଖାନା,
କରଇ ଆକର୍ଷଣ,
ପର୍ଯ୍ୟଟକଙ୍କ, ଦେଖିବା ପାଇଁ,
ରହିଛି କେତେ କ'ଣ !
ଓଡ଼ିଆ ଆମେ, ଓଡ଼ିଆ ଭାଷା,
ଓଡ଼ିଆ ଆମ ଜାତି,
ଆମ ରାଜ୍ୟର, କଳା ଚାତୁରୀ,
ଲଭିଛି ବିଶ୍ୱେ ଖ୍ୟାତି !
