କୁହୁକ ଚିରାଗ
କୁହୁକ ଚିରାଗ
ସବୁ ସମ୍ଭବର ସମ୍ଭାବନାକୁ ଅସମ୍ଭବ
ମନେକରିବା ପାଇଁ ବାଧ୍ୟ ହେଉଛି ମଣିଷ,
କିନ୍ତୁ ଏଭରେଷ୍ଟରେ କକ୍-ଟେଲ୍ ପାର୍ଟି
ଆଣ୍ଟାର୍କଟିକା ଓ ଦକ୍ଷିଣ ମେରୁରେ ଭାଙ୍ଗଡ଼ା ନୃତ୍ୟ
ପ୍ରଶାନ୍ତ ମହାସାଗରର ମାରିଆନା ଟ୍ରେଞ୍ଚ ଭିତରେ
ବିବାହ ଉତ୍ସବ ଅବା ଚନ୍ଦ୍ରରେ ବାର୍ଥଡେ ପାର୍ଟି
ଆଦୌ ଅସମ୍ଭବ ମନେହୁଏ ନାହିଁ ତା’ପାଇଁ !
ଜୀବନକୁ ଅଭିନବ ଢଙ୍ଗରେ
ଉପଭୋଗକରିବା ନିଶାରେ
ସୁଖ ସ୍ବାଚ୍ଛନ୍ଦ୍ୟ ବିଳାସ ବ୍ୟସନ ପାଇଁ ପ୍ରାଚୁର୍ଯ୍ୟର ପାହାଡ଼ ଉପରେ
ଠିଆ ହୋଇ ନିଜର ଯଶଗାନ କରିବାର ଅଭିପ୍ସା ହେଉ
କିମ୍ବା ଗରିବର ଦୁର୍ଦ୍ଦିନରେ ଭୋକ ଓ ଲାଜ ନିବାରଣ ପାଇଁ
ମୁଠାଏ ଭାତ ଓ ଖଣ୍ଡିଏ ବସ୍ତ୍ରର ଆକୁଳ ଆର୍ତ୍ତନାଦ ହେଉ
ଏସବୁ ଆଶ୍ଚର୍ଯ୍ୟଚକିତ କରିପାରିନି ଧରାକୁ
ଅବସ୍ଥା ଓ ବ୍ୟବସ୍ଥାର ସମାନ୍ତରାଳ ଗତିରେ ।
ଆଲ୍ଲାଉଦ୍ଦିନର କୁହୁକ ଚିରାଗ ଯଦି
ବିକ୍ରି ହେଉଥାନ୍ତା ହାଟରେ
ଜିନିମାନେ ମିଳିମିଶି ସଭିଙ୍କ ମନୋବାଞ୍ଛା ପୂରଣ ପାଇଁ
ଅହରହ ଲାଗିଯାଆନ୍ତେ କାମରେ
ତେବେ ଅଭାବ କିଛି ରହନ୍ତା ନାହିଁ ସଂସାରେ ।
ମରିବାକୁ ଭଲପାଉ ନଥିବା ମଣିଷ
ତଥାପି ଏଡ଼ାଇ ପାରନ୍ତା ନାହିଁ ମୃତ୍ୟୁକୁ ।
ତା’ ମନ ଭିତରେ ବାସ କରୁଥିବା ଈର୍ଷା ଦ୍ବେଷ ସ୍ବାର୍ଥ
କାମ କ୍ରୋଧ ଲୋଭ ଆଦି ଆସୁରିକ ପ୍ରବୃତ୍ତିକୁ
ହରଣ କରିବା ପାଇଁ ଜିନିମାନଙ୍କୁ ଖୋଜାପଡେନା,
ଏସବୁର କଣ ଆବଶ୍ୟକତା ନାହିଁ ?
ଜିନିମାନେ ଏଥିପାଇଁ ଅସମର୍ଥ କାହିଁକି ?
ବୃଦ୍ଧ ପ୍ରମାତାମହ କହିଯାଇଛନ୍ତି
ସବୁ କାହିଁକିର ଉତ୍ତର ମିଳେନା !
ସୌଭାଗ୍ୟବଶତଃ ଯଦି ଆରବ୍ୟ ଉପନ୍ୟାସର ପୃଷ୍ଠାରୁ ନାୟକ
ଅହେତୁକ ରୂପ ନେଇ କୁହୁକ ଚିରାଗଗୁଡିକୁ
ଆମ ହାତରେ ଥମେଇ ଦେଇଗଲା,
ତା’କୁ ଘଷିଲେ ଜିନି ବଦଳରେ
ଦୃଶ୍ୟମାନ ହୁଏ କେବଳ ରଙ୍ଗ ବେରଙ୍ଗର ଧୂଆଁ ।
ଜିନିମାନେ କଣ ଅଳସୁଆ ପାଲଟିଯାଇଛନ୍ତି !
ଏଇ ତ ବିସ୍ମୟ !
ଅନାହାରରେ ହେଉ ବା ଐଶ୍ୱର୍ଯ୍ୟରେ
ପିଢ଼ି ପରେ ପିଢ଼ି ଚାଲିଗଲେଣି,
ମଣିଷପଣିଆର ଚିରଶତ୍ରୁ ଗୁଆ ଚଳା ବନ୍ଧୁ ଭାବରେ
ଆମନ୍ତ୍ରିତ ହୁଅନ୍ତି
ପ୍ରତ୍ୟେକ ସୁଖଦୁଃଖ ଓ ହାନିଲାଭରେ !
