କୁଆଁର ପୁନେଇଁ
କୁଆଁର ପୁନେଇଁ
କୁଆଁର ପୁନେଇଁ ରାତି
ଥରୁଛି ପ୍ରେମିକ ଛାତି
କେମିତି ଗାଇବ ପ୍ରେମିକା ଆଗରେ
ପ୍ରେମର ଅଭୁଲା ଗୀତି ?
କୁଆଁରୀ କନିଆଁ ମନ
ଉଛୁଳା ତା ଯଊବନ
କେମିତି ଛୁଇଁବ ପ୍ରେମିକ ଅଧର
ଲାଗିଯିବ କାଳେ ଚିହ୍ନ ?
ଆକାଶରେ ତାରା ମେଳେ
ଚାନ୍ଦ ଲୁଚକାଳି ଖେଳେ,
ଜୋଛନାରେ ଭିଜି ଲାଜେ କୁମୁଦିନୀ
ହସେ ସରସୀର ଜଳେ ।
ରଜନୀ ଗନ୍ଧାର ବାସ
ଚହଟଇ ଚଉପାଶ,
ବିଚରା ଭଅଁର ସୁଗନ୍ଧ କୁହୁକେ
ହୋଇଯାଏ ଫୁଲ ଦାସ ।
ଝିଅ ଝୁରେ ବାପଘର
ମାଆ ବାପା ତରବର,
ନୂଆଁ ଜୋଇଁ ଘରେ ଦେଇ ଆସ ଯାଇ
କୁଆଁର ପୁନେଇଁ ଭାର ।
ଲାଜକୁଳୀ ନୂଆଁ ବୋହୂ
ଓଠରୁ ଝରଇ ମହୁ,
କଅଁଳ କଥାରେ ଦିଅର ଖବର
ଆଦାୟ କରଇ ସେହୁ ।
ଅଗଣାରେ ଝୋଟି ଚିତା
କେତେ ଜାତି ଜାତି ପିଠା,
ନିଜେ ଖାଇ ପୁଣି ପଡୋଶୀଙ୍କୁ ଦେବା
ଓଡ଼ିଆ ଘରର ପ୍ରଥା ।
ଘରେ କୁଣିଆଙ୍କ ଭିଡ
ନାହିଁ କିଛି ବନ୍ଧ ବାଡ,
ଲୁଡୁ ତାସ୍ ଆଉ କେରମ୍ ଖେଳରେ
ମସଗୁଲ୍ ସାନବଡ ।
ଜହ୍ନି ଫୁଲ କର ସଜ
କାକୁଡି ଫୁଲକୁ ଖୋଜ,
ସଙ୍ଗାତ ସାଥିରେ ଚଉଁରା ମୂଳରେ
ବୁରୁନ୍ଦାବତୀକୁ ପୂଜ ।