କଥା ଓଡ଼ିଶାର
କଥା ଓଡ଼ିଶାର
ଶୁଣ ଶୁଣ ସୁଧୀଜନେ କଥା ଓଡ଼ିଶାର,
ଯହିଁ ବିରାଜିଅଛନ୍ତି ଲକ୍ଷ୍ମୀ ଶ୍ରୀ ଠାକୁର |
ଏକବିଂଶ ଶତାବ୍ଦୀର ମାସ ମାର୍ଗଶିର,
ମହାଲକ୍ଷ୍ମୀଙ୍କ ମହିମା ଭରିଛି ତ୍ରିପୁର |
ଗ୍ରାମେ ଗ୍ରାମେ ଘରେ ଘରେ କରି ଲିପା ପୋଛା,
ନାନା ପ୍ରକାର ତା ମଧ୍ୟେ ଦେଇ ଝୋଟି ଚିତା |
ଜମି ମଧ୍ୟେ ଧନ ଭାରା ଶୋଭାପାଏ ଧାନ
ବିଲପାଣି ଶୁଖୁନାହିଁ ଦୁଃଖ ଚଷା ମନ |
କେମିତି କାଟିବଶସ୍ୟ, ଆଣିବ ଗୃହକୁ ?
ସୁମରଣା କରେ ନିତି ସେ ମାଆ ଲକ୍ଷ୍ମୀଙ୍କୁ |
ଏଣେପୁଣି ପିତାଘରେ ମାତିଛି ଜାୱାଦ,
ଲକ୍ଷ୍ମୀପୁର ଆସିବାକୁ କରିଛି ବିବାଦ |
ଏହାଦେଖି ମହାଲକ୍ଷ୍ମୀ ଧ୍ୟାନ ଭଗ୍ନହେଲେ,
ଶ୍ରୀ ମନ୍ଦିରକୁ ଯାଇ ପ୍ରଭୁଙ୍କୁ କହିଲେ |
ରାକ୍ଷସ ସାଗରେ ମାତିବା ଶୁଭୁଛି ଶ୍ରୁତିକି,
ଅଚିରେ ନାଶିବ ଧନଭରା ଏ ମହୀକି |
ଏ ମୋର ଭକ୍ତଙ୍କ ପ୍ରତି ଅନ୍ୟାୟ ହୋଇବ,
ଏହାର ବିଚାର କର ଆହେ ଜଗତଦେବ |
ଏହାଶୁଣି ଜଗନ୍ନାଥ ଲକ୍ଷ୍ମୀଙ୍କୁ କହନ୍ତି,
ଭୟ ନ କରନ୍ତୁ ଦେବୀ, ହବନି ସେମିତି |
ମାତାଙ୍କୁ କଥାଦେଇଣ ପ୍ରଭୁ ଚଳିଗଲେ,
ଶରଧାବାଲିରେ ଯାଇ ପ୍ରବେଶ ହୋଇଲେ |
ଶରଧାବାଲିକୁ ପ୍ରଭୁ ଦେଲେ ଆଜ୍ଞା ବହି,
କୀର୍ତ୍ତିବଦ୍ଧ ହୁଅ ତୁମ ନାମକୁ ବଢ଼ାଇ |
ତୁମ କୋଳ ସ୍ପର୍ଶ ମାତ୍ରେ ଶରଧା ବଢିବ,
ରାକ୍ଷସ ଚଣ୍ଡାଳ ମନ ଶାନ୍ତ ହୋଇଯିବ |
ପ୍ରଭୁ ଆଜ୍ଞା ପାଇ ଶରଧା ଯେ ବୃଦ୍ଧି ହେଲା ,
ସମୁଦ୍ର ସ୍ପର୍ଶ ମାତ୍ରେଣ ଶାନ୍ତ ହୋଇଗଲା |
ଶାନ୍ତକୂଳ ଦେଖି ବଢ଼େ ଜାୱାଦ ରାକ୍ଷସ,
ଭାବିଲା ଶ୍ରୀକ୍ଷେତ୍ରରେ କରିବି ପ୍ରବେଶ |
ଏହାଭାବି ମହୋଦଧି କୂଳେ ପାଦ ଥାପି,
ଶରଧା ବାଲି ବାଜନ୍ତେ ପଡିଲା ସେ ଥକି |
ଆସ୍ତେ ଆସ୍ତେ ହୋଇଲାସେ ବହୁତ ଦୁର୍ବଳ,
କ୍ଷଣେ ଶାନ୍ତ ହୋଇଲା ତା ବିଶାଳ ଆକାର |
ପ୍ରଭୁଙ୍କ ଦାସୀର ଶକ୍ତି ଦେଖି ସେ ଡରିଲା,
ଶ୍ରୀକ୍ଷେତ୍ର ମହିମା ଜାଣି ମଥାନତ କଲା |
ଡାକେ ରଖ ମହାବାହୁ ଜଗତ ଠାକୁର,
ନ ଜାଣି ଦୋଷ କରିଛି ଅଧମ ଏ ଛାର |
ଏହାଶୁଣି ଜଗନ୍ନାଥ ପ୍ରକଟ ହୋଇଲେ,
କାହିଁ କିସ ହେଲା ତୋର ରାକ୍ଷସ ବୋଇଲେ |
ସମୁଦ୍ର ଜୀବଙ୍କୁ ତୁ ଅଚିରେ ନାଶିଲୁ,
ଠାକୁରାଣୀଙ୍କର ଧନଧାନ କ୍ଷତି କଲୁ |
ମୋ ଭକ୍ତଜନକୁ ଯେଣୁ ଦେଇଚୁ ତୁ କଷ୍ଟ,
ନିଶ୍ଚେ ତୋର ଶକ୍ତି ହେବ ଵିଧ୍ଵଂସ ବିନଷ୍ଟ |
ଜାୱାଦ କହିଲା ପ୍ରଭୁ କ୍ଷମା କର ଦୋଷ,
'ଗୁଲାବ' ଭଉଣୀକୁ ଫେରାର କଲା 'ୟଶ' |
ବଡଭାଇ 'ଅମ୍ଫାନ'ବି କେଉଁ ଆଡେ ଗଲା,
ପାଗଳ ପ୍ରାୟେ ଗର୍ଜିଣ କାହିଁ ନାଶ ହେଲା |
ମାଆ ମୋ 'ତିତିଲି'ପୁଣି ବାପା ମୋର 'ଫନି '
ଜେଜେମା 'ହୁଡହୁଡ', ଜେଜେ 'ଫାଇଲିନ' |
ତାଙ୍କ ବାପା 'ମହାବାତ୍ୟା'ଏହା ଶିଖାଇଲା,
ପ୍ରତିବର୍ଷ ଓଡିଶାକୁ କରିବୁ ଘାଇଲା |
ଆହୁରି ଅନେକ ଅଛନ୍ତି ମୋ ପରିବାରେ,
ତାଙ୍କ ଗୁଣ ନେଇ ଏଠି ମୁଁ ପ୍ରବେଶ କରେ |
ମୋଠାରୁ ଯେ ଶକ୍ତିଶାଳୀ ଏ ଶରଧାବାଲି,
ତୁମ ଶକ୍ତି ମହିମା ଯେ ଏବେ ମୁଁ ଜାଣିଲି |
ତେଣୁ କରି ପ୍ରଭୁ ମୋତେ ମୁକ୍ତି ଦିଅ ଏବେ,
ପ୍ରକୃତି ଅସନ୍ତୁଳନ ଯୋଗୁଁ ସୃଷ୍ଟି ଆମ୍ଭେ |
ତୁମ୍ଭ ଭକ୍ତ କରନ୍ତି ପରିବେଶ ପ୍ରଦୂଷଣ,
ପ୍ରକୃତି ପୃଷ୍ଠେ ସବୁ ହୁଏ ଅସନ୍ତୁଳନ |
ତେଣୁ କରି ସାଗର ତଳରେ ଆମ୍ଭ ଘର,
ରହି ନ ହୁଅଇ ସେଠି ସୃଷ୍ଟି ହୁଏ ଝଡ଼ |
ସେଥିପାଇଁ ପ୍ରତିଶୋଧ ନେବାପାଇଁ ଆମ୍ଭେ,
ମୁଁହାଉ ସ୍ଥଳଭାଗକୁ ଅତିଶୟ ରାଗେ |
ଫୁଟାନ୍ତି ପାହାଡ଼ ମଧ୍ୟେ ରଖିଦେଇ ବାଣ,
ସାଗରେ ଛାଡ଼ନ୍ତି କ୍ଷେପଣାସ୍ତ୍ର କରି ପରୀକ୍ଷଣ |
ବିଷାକ୍ତ ଜଳ ଯେ କାରଖାନାରୁ ଛାଡ଼ନ୍ତି,
ନିଜ ଖୁସିପାଇଁ ପ୍ରକୃତିକୁ ନାଶନ୍ତି |
କ୍ଷୀର୍ଣ୍ଣ ଭିର୍ଣ୍ଣ ହୁଏ ଯେଣୁ ଆମ୍ଭ ଘରଦ୍ୱାର,
ଫାଟ ସୃଷ୍ଟି ସିନ୍ଧୁ ହୃଦେ ରୂପ ସାଜୁ ଝଡ଼ |
ତୁମ୍ଭେ ଯେଣୁ ଜଗତନାଥ ତୁମ୍ଭଙ୍କୁ କହିଲି,
ବୁଝାଅ ସେ ଭକ୍ତଜନେ ମୁଁ ଯାଉଛି ଚାଲି |
ଜଗନ୍ନାଥ ଏହାଶୁଣି ମନେ ବିଚାରିଲେ,
ହଉ ତୁ ମୁକତି ଲଭ ଜାୱାଦ କହିଲେ |
ତଁହୁ ବିଚାରନ୍ତି ମନେ ଜଗତ ଠାକୁର,
କେବେ ବୁଝିବ ଆଜିର ଉଦ୍ଧତ ଏ ନର |
ନିଜେ ଶକ୍ତିଶାଳୀ ହେବ କରନ୍ତି ବିଚାର,
ହାରିଗଲେ ଆମ୍ଭଙ୍କୁ ଯେ ସ୍ମରନ୍ତି ଏ ନର |
ଯେଉଁଦିନ ଯାଏଁ ନର ସତର୍କ ନ ହେବ,
ପ୍ରାକୃତିକ ଧ୍ବଂସର ସେ ସମ୍ମୁଖୀନ ହେବ |
ଏହାକହି ମହାପ୍ରଭୁ ମନ୍ଦିରେ ଚଳିଲେ,
କର୍ମ ଫଳ ଭୋଗକର ହେ ନର ବୋଇଲେ |
ଓଡିଶା ବାସୀଙ୍କୁ ମୋର କରେ ନିବେଦନ,
ପରିବେଶ ରକ୍ଷା କରି ରଖ ହେ ଜୀବନ |