STORYMIRROR

Ajaya Mahala

Romance Tragedy

3  

Ajaya Mahala

Romance Tragedy

କଥା ମାନୁନ

କଥା ମାନୁନ

1 min
322


ଏଇଟା ତୁମର ଚିର ଅଭିଯୋଗ -

ମୁଁ ସାତ ଚିରା କରି ରଖିଛି କୁଆଡେ

ଆମ ଏ ସମ୍ପର୍କର ଲୁଗାକୁ

ଗୋଟେ ପଟ ତୁମେ ସିଲେଇ କରି ବସିଲେ 

ଅନ୍ୟ ପଟ ଚିରି ଯାଉଥାଏ

କେତେ ଯେ ହତାଶା ତୁମର ସତେ

ଏପଟରୁ ଦାନା ଖୁଣ୍ଟୁ ଥିବା 

ପାରାଙ୍କୁ ଗୋଡେଇଲେ

ସେମାନେ ଉଡିଯାଇ ବସନ୍ତି

ସେ ପଟ କ୍ଷେତ ମୁଣ୍ଡରେ 


ଏଇ ତୁମ ଛୋଟ ପ୍ରେମସଂସାର

ଆଉ ତା ପବିତ୍ର ରୋଷେଇଘର

ତୁମେ ଲିପା ପୋଛା କରି ସାରିଲା ପରେ

 କେଡ଼େ ଅଧର୍ମୀ ପଣରେ 

ବୁଟର ଜୋତା ଦାଗ

ପକାଇ ପକାଇ

ଭାତ ହାଣ୍ଡି ଯାଏଁ ଚାଲି ଯାଏ

ଯାହା ତୁମେ ପବିତ୍ରତା ପାଇଁ 

ତୁଳସୀର ଜଳ ଛିଞ୍ଚୁ ଥାଅ

ତାକୁ ମୁଁ ବାରମ୍ବାର ଛୁଇଁ ଛୁଇଁ 

କଳୁଷିତ କରୁଥାଏ


ତୁମର ଅଭିଯୋଗ 

ପୂର୍ବ ପରି ଜାରୀ ରହେ

ଥରେ କୁଆଡେ 

ମତେ ନିସର୍ତ୍ତ ସ୍ୱାଧୀନତା ଦେଇଥିଲ ଯେ

ତାକୁ ବିକି ଆସିଥିଲି 

ମୁଁ ମଝି ବଜାରରେ 

ମୁଁ ଏବେ ଅବିଶ୍ୱସନୀୟ 

ହୋଇଗଲି ତୁମ ଆଗରେ

ସର୍ବକାଳିକ ମିଛୁଆ ରାଧୁଆ 


ମନେ ପଡେ 

ତୁମ ଆଂଗୁଳି ଦେଖା

ଆଖି ଉଠା ନୀରବ ଇଙ୍ଗିତ 

ରୋକିବାକୁ ଚେଷ୍ଟା କର କେତେ

ଆଗକୁ ମାଡି ଚାଲି ଯିବାକୁ 

ଚାହୁଁଥିବା ମୋ ମନ,

ଆଉ ମୋ ଇଚ୍ଛାର ଟ୍ରକକୁ

ଗୋଟିଏ ଟ୍ରାଫିକ ପୋଲିସ ପରି

ପାପୁଲି ଦେଖାଇ


ମୁଁ କହେ, 

"ଏମିତି ବି ମାନେନା 

ସେମିତି ବି ମାନିବିନି

ମୁଁ କେବେ ଚାଲି ଯିବି 

ତୁମ ଇଙ୍ଗିତ, ତୁମ ଇସାରା, 

ତୁମ ଠାର, ଅନୁରୋଧ 

କିଛି ନ ମାନି ।"

ତୁମେ କେତେ ଡରିଯାଅ


ଭାବିଲେ ସତରେ 

ଦେହ ଥରିଯାଏ 

ମୁଁ ଯଦି ଏପରି କରେ

ତୁମେ କିପରି ତୁମ ଜାଗାରେ 

ଠିଆ ହୋଇଥିବ

ଅସହାୟ ମହିଳା ଟ୍ରାଫିକ ପୋଲିସ ପରି

ଏହି ନିୟମ ଭଙ୍ଗକାରୀ ଟ୍ରକ ଡ୍ରାଇଭର

ତୁମ ସ୍ୱପ୍ନ ଆଉ ଆଶାର 

ଦିଗବଳୟ ଚିରି

ଦୃଶ୍ୟାତୀତ ହେବା ଯାଏଁ ?




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance