କଥା କହୁ ନ ଥିବା ସମୟ
କଥା କହୁ ନ ଥିବା ସମୟ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ନିଶବ୍ଦରେ ପାଦ ଗଣି ଗଣି
ଫେରିଯାଉଥିବା ସମୟ
କିଛି ନ କହି ବି ଦୋହରାଇ ଯାଏ
ଜଟିଳ ଜୀବନର ଘଷରା କାହାଣୀ ।
କଥା କହୁ ନ ଥିବା ସମୟ ମାନେ...
କେବେ ପ୍ରଶ୍ନବାଚୀ ତୋଳନ୍ତି
ପୁଣି କେବେ ଉତ୍ତର ପାଲଟି ଯାଆନ୍ତି
ଖୋଜିବା ଲୋଡ଼ିବାର ଲୁଚକାଳି ଖେଳ ଓ
ପ୍ରଶ୍ନ ଉତ୍ତର ର ଗୋଲକଧନ୍ଦା ଭିତରେ
ଘୁରୁଥିବା ସମୟ କିନ୍ତୁ ଅନୁଭବ ଦେଇ ଯାଏ
କିଏ ତୁମର ଅତି ଆପଣାର।
କଥା କହୁ ନ ଥିବା ସେ ସମୟକୁ
କିଏ ବୁଝିପାରେ ପୁଣି ବୁଝି ପାରେନା
ନୀରବତା ହେଉ ଅବା କୋଳାହଳ
ବିତି ଯାଉଥିବା ସମୟ ଫେରେନା।
ତଥାପି
ଅପେକ୍ଷାର ଅନ୍ତ ନ ଥାଏ
ଆକାଶ ର ତାରାକୁ କ'ଣ ଗଣିହୁଏ !
ନା ସମୁଦ୍ର ଢେ଼ଉକୁ ବାନ୍ଧି ରଖିହୁଏ
ସମୟ କୁ କେହି କ'ଣ ହାତରେ ଧରି ପାରେ
ସାଦା କାଗଜରେ ରଙ୍ଗ ବୋଳିଦେଲେ ରଙ୍ଗୀନ କାଗଜ ହୁଏନା।
ଅନ୍ୟ ର ସୁଖ,ଦୁଃଖକୁ ନିଜ ଭିତରେ କେହି ଅନୁଭବ କରିପାରେନା
ଇଟା ପରି ଛାଞ୍ଚରେ ନୁହେଁ ନିଜ ଢାଞ୍ଚା ରେ ଜୀବନ ବିତେ
ଭିନ୍ନ ରୂପ ଭିନ୍ନ ସ୍ଵପ୍ନ ଓ ଭିନ୍ନ ଆଶା ନେଇ
ଜୀବନରେ ବର୍ଷା ବସନ୍ତ ଓ ବୈଶାଖ ଆସନ୍ତି
ପୁଣି ଫେରି ଯାଆନ୍ତି ନିଜ ନିଜ ବାଟରେ
ଭିଜି ଭିଜି ସ୍ବପ୍ନ ଦେଖୁ ଦେଖୁ ସମୟ ସହ ହାତ ମିଳେଇ ଜଡ ପଥର ପାଲଟୁ ଥାଏ ମଣିଷ ।