କଥା କେତୋଟି
କଥା କେତୋଟି
ସେ କି ଜୀବନ ଲାଗିନି ଯଦି
ପରୋପକାରେ ଥରେ,
ସେ କେଉଁ ରୂପ ନ ଥିଲେ ଗୁଣ
କି ଲାଭ ସଂସାରରେ?
ସେ କେଉଁ ବିଜ୍ଞ ଯଦି ନ ଥିବ
ନମ୍ରତା ପାଶେ ତାର,
ସଂସ୍କାର ଯଦି ନ ଥିବ ଭାଇ
ସେ କେଉଁ ପରିବାର?
ସେ କେଉଁ ଧନ ପୁଣ୍ୟ ଅର୍ଜନେ
ଲାଗେନି ଯଦି ଥରେ,
ସେ କେଉଁ ଅସ୍ତ୍ର ସାହସ ବିନା
ଶୋଭା ପାଏକି କରେ?
ସେ କେଉଁ ଫୁଲ ନାହିଁ ତାହାର
ଯଦି ମଧୁର ବାସ,
ସେ କେଉଁ ହସ ହୃଦୟ ଖୋଲା
ନାହିଁ ଯାହାର ପାଶ।
ଅନ୍ଯ ବିପଦେ ଉଠିନି ଯଦି
ସେ ଅବା କେଉଁ ହାତ,
ସେ କେଉଁ ମାଥ ଯେ ଗୁରୁଜନେ
କରେନି ଦଣ୍ଡବତ।
ଚରିତ୍ର ଯଦି ମାର୍ଜିତ ନାହିଁ
ସେ କି ପୁରୁଷେ ଗଣା,
ସେ କେଉଁ ନାରୀ ଜଗତେ ଥାଇ
ସ୍ନେହ ମମତା ବିନା?
ସେ କେଉଁ ପ୍ରେମ ଯଦି ତା'ସ଼୍ଵାଦ
ପ୍ରତାରଣାଟି ହୁଏ,
ସେ କି ବିଶ୍ଵାସ ବନ୍ଧୁକୁ ଯଦି
ଧୋକା ସେ ଦେଇଥାଏ?
ବିବେକ ଶୂନ୍ୟ ହୃଦୟ ହୀନ
ସେ କି ମଣିଷ ଭାଇ,
କ୍ଷୀର ନ ଦେଇ ଗୁହାଳେ ବନ୍ଧା
ସେ ଅବା କେଉଁ ଗାଈ?
ସେ କେଉଁ ସ୍ତ୍ରୀ ଯଦି ତାହାରି
ନାହିଁ ତ ସ୍ଵାମୀ ଭକ୍ତି,
ସେ କେଉଁ ସ୍ଵାମୀ ଦିଏନା ଯଦି
ସ୍ତ୍ରୀକୁ ସ୍ନେହ ପ୍ରୀତି?
ସେ କେଉଁ ପୁତ୍ର ଯଦି ବାପର
ସମ୍ମାନ ରଖେ ନାହିଁ,
ସେ କେଉଁ ବାପ ପିଲାଙ୍କୁ ଯଦି
ମଣିଷ କରି ନାହିଁ।
ସେ କେଉଁ ଛାତ୍ର ଯଦି ଗୁରୁଙ୍କ
ଉପଦେଶ ନ ମାନେ,
ସେ କି ଶିକ୍ଷକ ପ୍ରକୃତ ଛାତ୍ର
କେବେ ଗଢ଼ି ନ ଜାଣେ?
ପ୍ରଜାଙ୍କୁ ପୁତ୍ର ଭାବେନି ଯଦି
ସେ କେଉଁ ରାଜା କୁହ?
ଯେ ସ୍ଵାର୍ଥ ରଖି ଚିକିତ୍ସା କରେ
ସିଏ ଡାକ୍ତର ନୁହଁ।
ସେ କି ଭଜନ ଯଦି ଜଗାର
ଭାବରେ ବନ୍ଧା ନାହିଁଁ,
ସେ କି ଭୋଜନ ଦେହରେ ଯଦି
ଅଜୀର୍ଣ୍ଣ ହୁଏ ଭାଇ?
ସେ କେଉଁ କବି ଲେଖିନି ଯଦି
ସଂସାର ହିତେ ବାଣୀ,
ସେ କେଉଁ ବାଣୀ ଅନ୍ଯ ହୃଦକୁ
ଯେବେ ଥରେ ଛୁଇଁନି।
ତେଣୁ ଜୀବନ ହୋଇବ ଧନ୍ୟ
ସ୍ଵଧର୍ମ କର୍ତ୍ତବ୍ୟରେ,
ନିଜର ପଥ କେବେ ନ ହୁଡ
ସଂସାର ସଡକରେ।
