ପତ୍ନୀ ପରାଗ
ପତ୍ନୀ ପରାଗ
ପଣତ ତଳରୁ
ପଣ କରି ଥିଲ
ପରିଚୟ ହେଲା ଯେବେ
ପରିଣାମ ପଛେ
ପଶ୍ଚାତ୍ତାପ ହେବ
ପର କରିବନି କେବେ ।
ପରିଣତ ଯେବେ
ପଦାଘାତ କଲା
ପଛ କଥା ଭୁଲି ଗଲ
ପରଦେଶୀ ଭାବି
ପରବାସୀ ହେଲ
ପରମ ସୁଖ ଲଭିଲ ।
ପକ୍ଷ ଦେଲି ସିନା
ପନ୍ଦର ଦିନରେ
ପରମ୍ପରା ଅଛି ଯେଣୁ
ପକ୍ଷାଘାତ ରୋଗୀ
ପରାଏ ଭୋଗୁଛି
ପର କରି ଗଲା ଦିନୁ ।
ପଛକୁ ଚାହିଁଲେ
ପଛେଇ ଯାଉଛି
ପର କରି ନିଜ ଛାଇ
ପଚାରିଲେ କହେ
ପବିତ୍ରତା ନାହିଁ
ପତ୍ନୀ ବିନା ପତି ଠେଇଁ ।
ପତି ହେଇ ଯେବେ
ପଠାଏ ତୁମକୁ
ପଞ୍ଚଭୂତେ ପଞ୍ଚଭୂତେ
ପରମ ସୌଭାଗ୍ୟ
ପରାପତ ହେଲା
ପଣ୍ଡିତେ କୁହନ୍ତି ମୋତେ ।
ପଉଷ ଆସୁଛି
ପରବକୁ ନେଇ
ପସରାରେ ପିଠା ଥୋଇ
ପଡ଼ିଶା ଚାହିଁଛି
ପତର ପକେଇ
ପରଶିବା ଲୋକ ନାହିଁ ।
ପରସ୍ତେ ଧୂଳିରେ
ପଲଙ୍କ ହସୁଛି
ପରଶ ନପାଇ ତୁମ
ପଖାଳ ଖାଉଛି
ପରଦିନ ଯାଏଁ
ପଡ଼ି ରହେ ବାସି କାମ ।
ପକ୍ଷୀ ଫେରେ ନୀଡ଼େ
ପଘା ଧରେ ଗାଈ
ପଶ୍ଚିମକୁ ଗଲେ ସୂର୍ଯ୍ୟ
ପଞ୍ଜୁରି ଶୁଆର
ପତା ପଡ଼ୁ ନାହିଁ
ପର ଝାଡ଼ି ନିଏ ଧୈର୍ଯ୍ୟ ।
ପଚି ପଚି ଯାଏ
ପରିବା ସମାନ
ପରମାୟୁ ଥିରିଥିରି
ପଙ୍କିଳ ଅତୀତ
ପରିତାପ ଆଣେ
ପଣସର ଅଠା ପରି ।
ପବନକୁ ଡରେ
ପତ୍ର ଝଡ଼ା ଗଛ
ପହଞ୍ଚି ଯିବକି କାଳ
ପଥ ହାରି ଥିବା
ପଥିକଟେ ପରି
ପଗଡ଼ିରେ ପୋଛେ ଝାଳ ।
ପତିବ୍ରତା ତୁମେ
ପତ୍ନୀହରା ମୁଁ ଯେ
ପତିତପାବନ ଖୋଜେ
ପଡ଼ିଆ କିଆରୀ
ପଦାକୁ ଅଯୋଗ୍ୟ
ପଛ କଥା ବସି ମାଜେ ।