କ୍ଷଣ କ୍ଷଣକେ ଆନ
କ୍ଷଣ କ୍ଷଣକେ ଆନ
ରାସ୍ତାରେ ଭେଟଘାଟ ଅଚାନକ ହେଲେ
ଛକରେ ମୁଁହକୁ ମୁଁହ ମିଶିଗଲେ ଦିଶିଗଲେ
କେମିତି ଅଛ ବନ୍ଧୁ କାନକୁ ଶୁଭିଗଲେ
ହାତ ଆପେ ଆପେ ହଲିଯାଏ
ଉପରକୁ ଉଠିଯାଏ ଆପଣାଛାଏଁ
ସ୍ମିତହାସ୍ୟରେ ଖୁସି ଝଲସୁଥାଏ
ଉତ୍ତର ପ୍ରତ୍ୟୁତ୍ତର ଦିଆ ନିଆ ହେଉଥାଏ
ଉତ୍ସବମୁଖର ପରିବେଶ ଜଣାପଡୁଥାଏ
ହସ୍ତ ମର୍ଦ୍ଦନ ସରୁ ସରୁ
କୋଳମଣ୍ଡନ କରୁ କରୁ
କେତେ ଖୁସି ଫୁଲ ଫୁଟି ଚହଟିଯାଏ
ପୃଥିବୀ କ୍ଷଣ କ୍ଷଣକ ଆନ
ଆଲିଙ୍ଗନ ପର୍ବ ପରେ ପରେ ଆରମ୍ଭ
ରାଗ ଅଭିମାନ
ଆଉ ମୁଁହ ଫୁଲା ଫୁଲି ଚାଲେ
ଅତୀତ ଦିନର ସ୍ମୃତି ରୋମନ୍ଥନ
ସବୁ ରାଗ ରୋଷ ଭୂଲି ଶେଷରେ
ପୁଣି ଫେରି ଆସନ୍ତି ସେହି
ପିଲାଦିନର ରୂପେଲି ସୁନେଲି ହଜିଲା ଜହ୍ନ
ବନ୍ଧୁର ବନ୍ଧୁକ ପୂରା କାନ୍ଧ ଉପରେ
ଫୁଟିଲା ଗର୍ଜିଲା ଅନେକ ଥର
ବାକ୍ୟବାଣରେ ମୁଗ୍ଧ କଲା ଆପଣାର
ମାନିଲାନି ବନ୍ଧନ ବାରଣ ତାରଣ ଦ୍ଵାର
ଦୁଃଖ ଦେଇଗଲା ଦରଦୀ ବନ୍ଧୁ ମୋର
ବାନ୍ଧି ପାରିଲାନି ସିନ୍ଧୁ ସାଗର
ଜୀବନରେ ଦୁଃଖ ବି ଅଛି ସୁଖ ବି ଅଛି
ଯାଆଁଳା ଭାଇ ପରି
ଦୁଃଖ ଅଛି ମାନେ ଜଞ୍ଜାଳ ରହିବ
ଦୁଃଖ ଜଞ୍ଜାଳ ଅଛନ୍ତି ମାନେ
କଷ୍ଟ ହେବ ସମସ୍ୟା ଆସିବ
ସମସ୍ୟା ସମାଧାନ କରି ଚାଲିଛି
ମଜାରେ ଅଛି ସାଙ୍ଗ
ସମ୍ଭାଳିବାକୁ ପଡୁଛି ପାଳିବାକୁ ପଡୁଛି
ସୁଖ ଅଛି ମାନେ ଖୁସି ଅଛି
ଆସୁ ଆସୁ ଅଗଣାକୁ
ପଶୁ ପଶୁ ଘର ଭିତରକୁ
ଛୁ ମନ୍ତର ମାରୁଛି
ବାଲିକୁ ମୁଠେଇ ଧରିବା ପରି
ଆଙ୍ଗୁଳି ଫାଙ୍କରୁ ଝରି ପଡ଼ୁଛି
ବନ୍ଧୁ ମିଳନର କ୍ଷଣିକ ଖୁସି ଲହରୀ
ଖୋରାକ ଯୋଗାଇବ
ବନ୍ଧନକୁ ଆହୁରି ମଜବୁତ କରିବ
ବାହି ଚାଲିବାକୁ ରକ୍ତରଞ୍ଜିତ ଜୀବନ ତରୀ
