କ୍ଷମା ଦେ ମା'
କ୍ଷମା ଦେ ମା'
ଆଧୁନିକତାର ଏ କି ମୋହିନୀ ମନ୍ତ୍ର
ପରିବାର ଗଛରେ ଅବହେଳିତ ଶୁଖିଲା ପତ୍ର
ମାନବିକତା ଆଜି ପାଲଟିଛି କୁମ୍ଭକର୍ଣ୍ଣ ନିଦ
ସମ୍ବେଦନହୀନ ମନ ଗୁଡ଼ିକ ରୂପଭେକରେ ଉଚ୍ଛେଦ,
ଯାହା ଦଣ୍ଡ ଦେବୁ ଦେ ତୋ' ଅସ୍ତ୍ରେ
ଗୁହାରୀ ତଥାପି ଏ ମଣିଷଜାତିକୁ କ୍ଷମା ଦେ ମା'...,
ପାପର ପ୍ରଭାବେ ପବିତ୍ର ଚେତନା ଅଭାବେ
ସଂସାରରେ ବୁଦ୍ଧିମାନ ମଣିଷ ଜାତିଟା
କି ନାରୀ କି ପୁରୁଷଗଣ ପ୍ରାପ୍ତ ଅବା ବୟସର ଅପରାହ୍ନ
ପ୍ରଦର୍ଶନ ମୋହ-ସମୁଦ୍ରରେ ନିଇତି କରେ ସ୍ନାନ,
ମଣିଷର ପାପର ପ୍ରାୟଶ୍ଚିତ ହେଉ
ଭୁଲ୍ କରିଥିବା ମଣିଷକୁ ନିଶ୍ଚେ କ୍ଷମା ଦେ ମା'...,
ଆବୃତ ଶରୀର ଥିଲା ଯାହା ସବୁ ଦିଶେ ବସ୍ତ୍ରହୀନ
ଆଜି ଆଧୁନିକ ଯନ୍ତ୍ରେ କୁଆଡ଼େ ଦେହକୁ ସମ୍ମାନ..!!!
ଛି.. ଛି... କିଛି ପୁରୁଷର ଏ ଦେଖିବାର ଦୁର୍ବାର ଆକର୍ଷଣ
ଧିକ୍କାର ସେ କିଛି ନାରୀଙ୍କର ଅଙ୍ଗ ଦେଖାଇବାପଣ,
ଏ ମୁରୁଖ ପୁରୁଷ ନାରୀଙ୍କୁ ଆହୁରି ଶିକ୍ଷା ମିଳୁ
ଭୁଲ୍ ବୁଝି ସୁଧାରିନେବାର ସୁଯୋଗ ଦେ ମା'...,
ବିଳାସର ଦୁର୍ବଳତା ଅର୍ଥ ଲାଳସାର ମୋହ
କିଏ ବିକେ ମିଛ ଲୁହ କିଏ ବିକେ ଗୁପ୍ତଦେହ,
ଆଉକିଛି ରକ୍ତରେ କରନ୍ତି ବେପାର କୁତ୍ସିତ
ବିବେକ ଆଜି ବିକ୍ରି ହୁଏ ଶସ୍ତା ବଜାରରେ ମୁକ୍ତ,
ଏ ପାପୀ ମଣିଷର ମନେ ଲାଗୁ ଲଗାମ୍
ସମାଜ ସୁଧାର ପାଇଁ ଅଜସ୍ର ପ୍ରାଣେ ବିବେକ ଦେ ମା'...।
