STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

କ୍ଷେତ୍ରେଶ୍ବରୀ ମାଆ ବିମଳା

କ୍ଷେତ୍ରେଶ୍ବରୀ ମାଆ ବିମଳା

5 mins
255

ସେତୁବନ୍ଧେ ରାମେଶ୍ବରୀ ପାଆନ୍ତି ପୂଜା

ଉଡ୍ରଦେଶେ ବିରଜା ଙ୍କ ଉଡଇ ଧ୍ବଜା।

ନୀଳ ପର୍ବତେ କାମାକ୍ଷା ତନ୍ତ୍ର ଈଶ୍ବରୀ

ବିମଳା ପୁରୁଷୋତ୍ତମ ଶ୍ରୀକ୍ଷେତ୍ରେଶ୍ବରୀ।

ନୀଳଗିରି ନାଥ ସିନା ଶ୍ରୀଜଗନ୍ନାଥ

ନୀଳଗିରି କ୍ଷେତ୍ରେଶ୍ବରୀ ବିମଳା ମାତ ।

ମହାପ୍ରଭୁ ଙ୍କୁ ନୈବେଦ୍ୟ ଯାହା ଲାଗଇ

ସେ ପ୍ରସାଦ ବିମଳା ଙ୍କ ହୁଏ ମଣୋହି।

ତହୁଁ ପ୍ରସାଦ ହୁଅନ୍ତି ମହାପ୍ରସାଦ

ମହାପ୍ରସାଦ ପାଇବା ସେ ବଡ ଭାଗ୍ୟ।

ସତୀଙ୍କର ଆତ୍ମହୂତୀ ଦକ୍ଷ ଯଜ୍ଞରେ

ପାଦ ତାଙ୍କ ପଡିଥିଲା ପୁରସ୍ତମ ରେ।

ତନ୍ତ୍ର ଚୁଡ଼ାମଣି ରେ ତ ଅଛି ବର୍ଣ୍ଣନ

ପାଦ କ୍ଷେତ୍ର ଭାବେ କ୍ଷାତ ଶ୍ରୀକ୍ଷେତ୍ର ଜାଣ ।

ପାଦ ପୀଠେଶ୍ବରୀ ମାତା ବିମଳା ଦେବୀ

ଜଗନ୍ନାଥ ଭୈରବ କୁ ସେତ ଭୈରବୀ।

ଜଗନ୍ନାଥ ମାଧବ ଯେ ବିମଳା ଦୁର୍ଗା

ମହା ନିର୍ବାଣ ର ମନ୍ତ୍ର ତନ୍ତ୍ର ଆରାଧ୍ୟା ।

ମହା କାଳ କାଳିକା ସେ କରାଳ କାନ୍ତି

ତନ୍ତ୍ର ଯନ୍ତ୍ର ମହାମନ୍ତ୍ର ତାନ୍ତ୍ରିକ ଶକ୍ତି ।

ବିଚିତ୍ର କ୍ଷେତ୍ର ଶ୍ରୀକ୍ଷେତ୍ର ବିଚିତ୍ର ନୀତି

ନାରାୟଣ ଯେଉଁଠାରେ ନାରୀ ଶକତି ।

ଯିଏ ସତ୍ୟ ସନାତନ ସେ ପୁଣି ଶକ୍ତି

ଶାନ୍ତାକାର ମୁକ୍ତିଧାର ଗତି ଅଗତି ।

ତନ୍ତ୍ର ରେ ଜଗନ୍ନାଥ ଦକ୍ଷିଣ କାଳିକା

ବଳଭଦ୍ର ତାରା ମହାବିଦ୍ୟା ସ୍ୱରୂପା ।

ଭଦ୍ରା ଭୁବନେଶ୍ୱରୀ ଚକ୍ର ଯେ ଷୋଡ଼ଶୀ

ଶ୍ରୀମନ୍ଦିର ସାରା ଶକ୍ତି ଭାବ ବରଷି।

ବଇଷ୍ଣବ ବଇଷ୍ଣବୀ ଶିବ ଶିବାନୀ

ସର୍ବମୟ ସମ୍ମନ୍ବୟ ଭବ ଭବାନୀ।

ବିଷ୍ଣୁ ରୂପେ ଆରାଧନା ଶକ୍ତି ଙ୍କ ପୂଜା

ଦେବପୀଠେ ଦେବୀଙ୍କର ମଙ୍ଗଳ ଧ୍ବଜା।

ବିମଳା ଙ୍କ ସାଥିରେ ତ ଅଷ୍ଟ ଶକତି

ଶ୍ରୀମନ୍ଦିର ବେଢା ମଧ୍ୟେ ପୂଜା ପାଆନ୍ତି।

କାଳରାତ୍ରୀ କୃପା ମୟୀ ଆଲାମଚଣ୍ଡୀ

ଭୟଙ୍କରୀ ଶଙ୍କରୀ ସେ କୁତାମ ଚଣ୍ଡୀ ।

ମଙ୍ଗଳା,ସର୍ବମଙ୍ଗଳା,ଅର୍ଦ୍ଧଶୋଷିଣୀ ,       

ମରିଚିକା,ଚଣ୍ଡରୂପା ଆଠ ଭଉଣୀ ।

କାଳୀ ମଧ୍ୟ ଶ୍ରୀମନ୍ଦିରେ ପୂଜା ହୁଅନ୍ତି

ବେଢ଼ା କାଳୀ ଖମ୍ବ କାଳୀ କରାଳ ମୂର୍ତ୍ତି।

ଦେବୀ ଶକ୍ତି ଶ୍ରୀମନ୍ଦିର ଜଗି ଅଛନ୍ତି

ଶକ୍ତି ରେ ଉଛୁଳେ ଭାବ ଉଛୁଳେ ଭକ୍ତି।

ସେଥିପାଇଁ ବଖାଣଇ ପୁରାଣ ଶାସ୍ତ୍ର

ଶ୍ରୀମନ୍ଦିର ସେତ ମହା ତାନ୍ତ୍ରିକ କ୍ଷେତ୍ର ।

ଶ୍ରୀମନ୍ଦିରେ ଆଦି ଶକ୍ତି ମାତା ବିମଳା

ସତ୍ୟ ଯୁଗରୁ ତ ମାଆ କରନ୍ତି ଲିଳା ।

ଦେବୀ ଭାଗବତେ ଅଛି କଥା ବର୍ଣ୍ଣିତ

ମାତା ଙ୍କ ଉତ୍ପତ୍ତି କଥା ଜନ୍ମ ବୃତ୍ତାନ୍ତ।

ଦକ୍ଷ ଯଜ୍ଞେ ମାତା ସତୀ ପ୍ରଣ ଆହୁତି

କ୍ରୋଧେ ଥରହର ହେଲେ କୈଳାସ ପତି।

ଯଜ୍ଞ କୁଣ୍ଡୁ ଆଣି ସେହି ଦଗ୍ଧ ଶରୀର

କାନ୍ଧରେ ବହନ କଲେ ଭୋଳା ଶଙ୍କର।

ଆରମ୍ଭ କରିଲେ ଶିବ ତାଣ୍ଡବ ନୃତ୍ୟ

କମ୍ପି ଉଠିଲା ମେଦିନୀ ସାରା ଜଗତ।

ବଇକୁଣ୍ଠ ପୁର ଯେବେ ଉଠିଲା ଥରି

ବିଚାର କରିଲେ ମନେ ପ୍ରଭୁ ଶ୍ରୀହରି ।

ସୁଦର୍ଶନ ଚକ୍ର ତାଙ୍କ ପଠାଇ ଦେଲେ

ମୃତ ଦେହ କୁ ଯେ ଖଣ୍ଡ ବିଖଣ୍ଡ କଲେ ।

ଏକାବନ ଖଣ୍ଡ ସେହି ଦେହ ହୋଇଲା

ଦୂରେ ବହୁଦୂରେ ଯାଇ ପତିତ ହେଲା ।

ଯେଉଁଠି ଦେହାବଶେଷ ପତିତ ହେଲା

ଶକ୍ତି ପୀଠ ସେହିଠାରେ ଗଢ଼ି ଉଠିଲା ।

ଶ୍ରୀକ୍ଷେତ୍ରରେ ପଡ଼ିଥିଲା ମାତାଙ୍କ ପାଦ

ଯହିଁ ରୁ ବିମଳା ହୋଇଲେ ଆବିର୍ଭାବ।

ସ୍କନ୍ଦ ମହା ପୁରାଣ ଯାଏ ତ ବଖାଣି

ଇନ୍ଦ୍ରଦ୍ୟୁମ୍ନ ଙ୍କୁ ହୋଇଥିଲା ଶୂନ୍ୟ ବାଣୀ।

ଶଙ୍ଖ କ୍ଷେତ୍ର ତୃତୀୟ ଆବର୍ତ ସୀମାରେ

ଶକ୍ତି ମୋ ବିରାଜିତ ବିମଳା ନାମରେ ।

ଭକତି ରେ ତାଙ୍କୁ ପୂଜା ଅର୍ଚ୍ଚନା କଲେ

ମନେମନେ ସେହି ନାମ ଜପ କରିଲେ,

ମନ କାମନା ସବୁ ପୂରଣ ହୁଅଇ

ଭବ ଭୟ ବନ୍ଧନରୁ ମୁକ୍ତି ମିଳଇ ।

ଶ୍ରୀକ୍ଷେତ୍ରରେ ଅଗ୍ରପୂଜ୍ୟା ମାତା ବିମଳା

ମୋକ୍ଷଦା ବରଦା ଦେବୀ ଭକ୍ତ ବତ୍ସଳା ।

ଶ୍ରୀମନ୍ଦିର ବେଢାର ନୈଋତ କୋଣରେ

ମାଆ ଯେ ପାଆନ୍ତି ପୂଜା ଦିବ୍ୟ ମନ୍ଦିରେ ।

ମାଦଳାପାଞ୍ଜି ରେ ଲେଖା ଯଯାତି କେଶରୀ

କରିଥିଲେ ମାଆଙ୍କ ମନ୍ଦିର ତିଆରି ।

ଗବେଷକମାନେ ପୁଣି ମତ୍ତ ଦିଅନ୍ତି

ମନ୍ଦିର ଚୋଳଗଙ୍ଗ ଦେବ ଗଢି ଛନ୍ତି।

ଷାଠିଏ ଫୁଟ ଉଚ୍ଚ ବିମଳା ମନ୍ଦିର

ଦୂରକୁ ଦିଶଇ ସେତ ଭାରି ସୁନ୍ଦର।

ତିନି ଭାଗରେ ମନ୍ଦିର ବିଭକ୍ତ ସେତ

ବିମାନ ଜଗମୋହନ ନାଟ ମଣ୍ଡପ।

ବିମାନ ଯେ ଗର୍ଭ ଗୃହ ମଧ୍ୟରେ ତାର

ପିଣ୍ଡି ଟିଏ ରହି ଅଛି ଭାରି ସୁନ୍ଦର ।

ଅଷ୍ଟ ଦଳ ପଦ୍ମଫୁଲ ଶୋଭା ମଣ୍ଡିତ

ତାପରେ ଦଣ୍ଡାୟମାନ ବିମଳା ମାତ।

ପଦ୍ମ ଫୁଲ ର ପ୍ରତି ପାଖୁଡା ଉପରେ

ଅଷ୍ଟ ମାତୃକାଙ୍କ ଛବି ଅଛି ଯହିଁରେ।

ଭୁବନେଶ୍ୱରୀ କାଳିକା ଲକ୍ଷ୍ମୀ ଶୀତଳା

ଇନ୍ଦ୍ରାଣୀ ଭଦ୍ରା କାଳୀ ଦୁର୍ଗା ମା ମଙ୍ଗଳା ।

ଶଙ୍କରାଚାର୍ଯ୍ୟ ନବମ ଶତାବ୍ଦୀରେ ତ

ଗଢାଇଥିଲେ ମାଆଙ୍କ ମୂର୍ତ୍ତି କୁ ସେତ।

ମୁଗୁନି ପଥରେ ଗଢା ସେ ଦିବ୍ୟ ମୂର୍ତ୍ତି

ମୂର୍ତ୍ତି ଙ୍କ ଉଚ୍ଚତା ପ୍ରାୟ ପାଞ୍ଚ ଫୁଟଟି।

ବିମଳା ଯେ ଚତୁର୍ଭୁଜା ସେ ତ୍ରି ନୟନୀ

ତନ୍ତ୍ରେଶ୍ବରୀ ଦେବୀ ନରମୁଣ୍ଡ ମାଳିନୀ।

ଜପାମାଳ, ମତ୍ସ୍ୟକନ୍ୟା ସୁଧା କଳସ

ଧରିଛନ୍ତି ହସ୍ତେ ମାଆ ସେ ନାଗପାଶ ।

ନାଗ କନ୍ୟା ଦେବ କନ୍ୟା ଦୁଇ ପାର୍ଶ୍ଵେତ

ଛାୟା ଆଉ ମାୟା ନାମେ ସେ ବିରାଜିତ ।

ଦଶ ମହାବିଦ୍ୟା ଦେବୀ ସପ୍ତ ମାତୃକା

ବିମଳା ମନ୍ଦିର ମଧ୍ୟେ ପାଆନ୍ତି ପୂଜା ।

ମନ୍ଦିର କାନ୍ଥରେ ଷୋଳ ମାତୃକା ଛନ୍ତି

ଚଉରାଳିଶ ଯୋଗିନୀ ତହିଁ ଅଛନ୍ତି।

ମନ୍ଦିର ଦ୍ବାର ବାମେ ଅଛନ୍ତି ଗଣେଶ 

ନୃତ୍ୟ ଗଣେଶ ଭାବେ କ୍ଷାତ ବିଘ୍ନେଶ।

ଦକ୍ଷିଣରେ ବିରାଜିତ ଶିବ ନନ୍ଦନ

କୁମାର କାର୍ତ୍ତିକ ସେତ ବିଶ୍ଵ ମୋହନ।

ମନ୍ଦିର ପାର୍ଶ୍ଵ ଦେବୀ ନୃତ୍ୟ ରତା କାଳୀ

ନାଟ ଚାମୁଣ୍ଡା ଗୌରୀ ରହିଛନ୍ତି ଢଳି।

ମନ୍ଦିର ସମ୍ମୁଖରେ ମାଆଙ୍କ ବାହନ

ପଶୁରାଜ ସିଂହ ଗଜ ପରେ ଆସିନ।

ଅଜ୍ଞାନ ଅନ୍ଧକାର ତମସା ବିନାଶି

ଜ୍ଞାନର ଆଲୋକ ସତେ ଯାଏ ପରସି ।

ସେହିଠାରେ ଭକ୍ତ ମାନେ ଦୀପ ଜାଳନ୍ତି

ମାଆଙ୍କୁ ମନକଥା ଗୁହାରି କରନ୍ତି।

ନାଟ ମଣ୍ଡପ ରେ ଭକ୍ତେ କ୍ଷଣେ ବସନ୍ତି

ମାଆଙ୍କ ନାମକୁ ବସି ତୁଣ୍ଡେ ଘୋଷନ୍ତି।

ପ୍ରଭାତରୁ ମାଆଙ୍କର ଖୋଲେ ଦେଉଳ

ଦରଶନ ପାଇଁ ହୁଏ ଭକ୍ତ ଗହଳ ।

ସେବକମାନେ ମାଆଙ୍କ ସ୍ନାନ କରାନ୍ତି

ଚନ୍ଦନ ହଳଦୀ ଚୁଆ ଦେହେ ଘୋଷନ୍ତି।

ସ୍ନାନ ପରେ ମାଆ ମୋର ବେଶ ହୁଅନ୍ତି

ଶାଢ଼ୀ ଫୁଲ ଅଳଙ୍କାରେ ଶୋଭା ପାଆନ୍ତି।

ମାଆଙ୍କ ଦର୍ଶନେ ଭକ୍ତ ଧନ୍ୟ ହୁଅନ୍ତି

ଉର୍ଦ୍ଧ ବାହୁ ହୋଇ ଭାବେ ନାଚ କରନ୍ତି।

ତିନି ଧୂପ ମାଆଙ୍କର ନିତି ହୁଅଇ

ସକାଳ ମଧ୍ୟାହ୍ନ ସଞ୍ଜ ଆସିଲେ ନଇଁ।

ମହାପ୍ରଭୁଙ୍କ ପାଖରେ ଯାହା ନୈବେଦ୍ୟ

ତୁଳସୀ ପଡ଼ି ହୁଅଇ ତାହା ପ୍ରସାଦ ।

ପ୍ରସାଦରୁ ତୁଳସୀ ଯେ ଅଲଗା ହୋଇ

ମାଆଙ୍କ ପାଖରେ ତାହା ଭୋଗ ଲାଗଇ ।

ପ୍ରଭୁଙ୍କ ଉଚିଷ୍ଟ ଯେଣୁ ମାଆ ପାଆନ୍ତି

ଉଚିଷ୍ଟ ଭୈରବୀ ଭାବେ ତାଙ୍କର କ୍ଷାତି ।

ମାଆଙ୍କର ବେଲପତ୍ର ଭୋଗେ ପଡ଼ନ୍ତି

ପ୍ରସାଦ ତହୁଁ ମହାପ୍ରସାଦ ହୁଅନ୍ତି।

ଅମୃତ ଠୁ ବଳି ମହାପ୍ରସାଦ ଜାଣ

କଣାଏ ପାଇଲେ ହୁଏ ଜୀବନ ଧନ୍ଯ।

ଦଶହରା ବିମଳା ଙ୍କ ବଡ଼ ପରବ

ଷୋଳଦିନ ଧରି ହୁଏ ଏହି ଉତ୍ସବ।

ଦଶରାରେ ମହିଳା ଭକତ ମାନଙ୍କୁ

ମନା ହୋଇଥାଏ ଦେଉଳ ପ୍ରବେଶ କୁ ।

ମୂଳାଷ୍ଟମୀ ରେ ଶହସ୍ର କୁମ୍ଭ ଜଳରେ

ମାଆଙ୍କର ଅଭିଷେକ ହୋଇଥାଏ ରେ।

ଷୋଳଦିନ ମାଆଙ୍କର ଷୋହଳ ବେଶ

ଷୋଡ଼ଶ ଉପଚାରେ ପୂଜା ବିଶେଷ।

ବନଦୁର୍ଗା ଅନ୍ନପୂର୍ଣ୍ଣା ସିଂହବାହିନୀ

ମାତଙ୍ଗି ବଗଲା ଚାମୁଣ୍ଡା ନାରାୟଣୀ।

ହରଚଣ୍ଡୀ ମହାଲକ୍ଷ୍ମୀ ଭୁବନେଶ୍ୱରୀ

ଉଗ୍ରତାରା ଜୟଦୁର୍ଗା ସେ ସିଦ୍ଧେଶ୍ୱରୀ ।

ରାଜରାଜେଶ୍ଵରୀ ମା ଭଗବତୀ କାଳୀ

ପାପ ତାପ ବିନାସନ୍ତି ଦୂରିତ ଦଳି ।

ଅପରାଜିତା ବେଶ ଦଶହରା ଦିନ

ସମସ୍ତେ କରନ୍ତି ମାଆଙ୍କୁ ଦରଶନ।

ସପ୍ତମୀ ଅଷ୍ଟମୀ ଆଉ ନବମୀ ଦିନ

ମାଆଙ୍କ ପ୍ରସାଦ ହୁଏ ଆମିଷ ଜାଣ।

କାନିକା ମାଛ ଭଜା ମାଛ ର ବେଶର

ବିଶେଷ ପୂଜା ବିଧି ରୋଷେଇ ସ୍ବତନ୍ତ୍ର।

ଚଣ୍ଡୀ ଚାମୁଣ୍ଡା ଯୋଗିନୀ ସଭିଏଁ ମିଶି

ସେ ପ୍ରସାଦ ପାଇଥାନ୍ତି ଖୁସିରେ ହସି ।

ବାକି ତେର ଦିନ ଭୋଗ ମାଆଙ୍କ ପାଇଁ

କୋଠ ଭୋଗ ରୁ ତ ଆସେ ତିଆରି ହୋଇ ।

ବିମଳାଇ ପିଠା ଗଜା ଖେଚୁଡ଼ି ମୁଆଁ

ଷୋଡ଼ଶ ଉପଚାରେ ଲାଗିହୁଏ ତାହା ।

ଦଶରାରେ ଶ୍ରୀମନ୍ଦିରେ ଶାକ୍ତ ଗୁଣ୍ଡିଚା

ବିମଳା ମନ୍ଦିରେ ଦୁର୍ଗା ମାଧବ ପୂଜା ।

ମନ୍ଦିର ଭଣ୍ଡାର ଘରେ ଦୁର୍ଗା ଅଛନ୍ତି

ମାଆ ବିମଳା ଙ୍କ ସେତ ଚଳନ୍ତି ମୂର୍ତ୍ତି।

ମୂଳାଷ୍ଟମୀ ଦିନ ମାତା କରନ୍ତି ସ୍ନାନ

ବେଶ ହୋଇଥାନ୍ତି ନାଇ ନବ ବସନ।

ବେଶ ପରେ ଧୂପ ଦୀପେ ପୂଜା ଅର୍ଚ୍ଚନା

ପ୍ରସାଦ ହୁଅଇ ଲାଗି ହୁଏ ମାଜଣା।

ଭଣ୍ଡାର ଘର ଦ୍ବାରକୁ ମାଆ ଆସନ୍ତି

ରତ୍ନ ବେଦୀ ରୁ ମାଧବ ଓହ୍ଲାଇ ଥାନ୍ତି।

ଭଦ୍ରାସନେ ଦୁଇ ମୂର୍ତ୍ତି ବିଜେ କରନ୍ତି

ଭାବ ଭକତିର ଡୋରେ ରୁନ୍ଧା ହୁଅନ୍ତି।

ରୁନ୍ଧାହୋଇ ଷୋଳ ଦିନ ସେତ ରୁହନ୍ତି

ଏକାଠି ଧୂପଦୀପ ମାର୍ଜନା ହୁଅନ୍ତି।

ମହାପ୍ରଭୁଙ୍କର ଆଜ୍ଞାମାଳ ଯେ ପାଇ

ପାଲିଙ୍କି ରେ ବିଜେ ସେତ କରନ୍ତି ଯାଇ ।

ବିମାନ ବଡୁ ମାନେ ବିମାନକୁ ବୋହି

ବିମଳା ଙ୍କ ମନ୍ଦିର ରେ ରଖନ୍ତି ଯାଇ ।

ମନ୍ଦିର ଜଗମୋହନେ ପଲଙ୍କ ତହିଁ

ବିଜେ କରିଥାନ୍ତି ଦୁର୍ଗା ମାଧବ ଯହିଁ।

ଧୂପଦୀପ ବନ୍ଦାପନା ପୂଜା ଅର୍ଚ୍ଚନା

ଲାଗଇ ଶୀତଳ ଭୋଗ ହୁଅଇ ପଣା ।

ବିମଳା ଙ୍କ ତିନି ଧୂପ ଏଣେ ହୁଏଟି

ପ୍ରଭୁଙ୍କ ଚନ୍ଦନ ଲାଗି ଯେବେ ସରେଟି,

ଦୁର୍ଗା ମାଧବ ବଡ଼ ଦେଉଳେ ଫେରନ୍ତି

ଭଣ୍ଡାର ଘର ଦ୍ବାରେ ପୂଜା ହୁଅନ୍ତି।

ମୂଳାଅଷ୍ଟମୀ ଠାରୁ ମହାଳୟା ଯାଏ

ବିମଳା ମନ୍ଦିରେ ଲିଳା ଏପରି ହୁଏ ।

ପ୍ରତିପଦ ଠାରୁ ରୁନ୍ଧା ଦୁର୍ଗା ମାଧବ

ନାରାୟଣୀ ମନ୍ଦିରେ କରନ୍ତି ଉତ୍ସବ।

ଦୋଳ ମଣ୍ଡପ ସାହିରେ ସେହି ମନ୍ଦିର

ଆଠଦିନ ସେ ମନ୍ଦିରେ ଲିଳା ହୁନ୍ଦର।

ଦଶହରା ଦିନ ଶାକ୍ତ ଗୁଣ୍ଡିଚା ସରେ

ଦୁର୍ଗା ଲେଉଟନ୍ତି ତାଙ୍କ ଭଣ୍ଡାର ଘରେ।

ରତ୍ନ ବେଦୀକୁ ମାଧବ ଫେରି ଯାଆନ୍ତି

ଶାକ୍ତ ଗୁଣ୍ଡିଚା ଯାତରା ଶେଷ ହୁଏଟି ।

ଏହିପରି ଶ୍ରୀମନ୍ଦିରେ ମାତା ବିମଳା

ଲଗାଇତ ଥାନ୍ତି ତାଙ୍କ ଭାବର ଲିଳା ।

ଭାବର ଠାକୁରାଣୀ ସେ ଭାବରେ ବନ୍ଧା

ଭକତ ର ଭକତିରେ ସିଏତ ଛନ୍ଦା ।

ମାଆଙ୍କ ଦେଉଳ ରେ ନିତି ଗହଳି

ଜୟ ଜୟ ଜୟ ମାଆ ପଡ଼େ ଉଛୁଳି ।

ଜୟ ମା ବିମଳା ଜୟ ହେ ଆଦି ମାତା

ମଙ୍ଗଳମୟୀ ଜନନୀ ଜଗତ ହିତା ।

ଦେଉଳ ଦୁଆରେ ତୁମ ଜାଳି ଦୀପାଳି

ଭକତେ କରନ୍ତି ଯାହା ତୁମକୁ ଅଳି,

ସଭିଙ୍କର ଡାକ ଶୁଣ ଡେରି ତ କାନ

ସଭିଙ୍କର ମନବାଞ୍ଛା କରଗୋ ପୂର୍ଣ୍ଣ ।

ଭବ ସାଗର ଜଳରୁ ହେବାକୁ ପାରି

ମାଆ ତୁମ ନାଁଆ ପରା ଅଟଇ ତରୀ।

ଏ ଅଧମ ତୁମ ନାମ ମନରେ ଜପି

ତୁମରି ମହିମା ଗାଥା ପାରିଛି ଲେଖି ।

ଦୋଷାଦୋଷକୁ ମୋ ମାଆ କ୍ଷମା କରିବ

ଅଧମକୁ ପାଦେ ତୁମ ସ୍ଥାନ ଯେ ଦେବ ।


Rate this content
Log in

Similar oriya poem from Classics