କୃଷ୍ଣ ବଳରାମ ବେଶ
କୃଷ୍ଣ ବଳରାମ ବେଶ


ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ
କୃଷ୍ଣ ବଳରାମ ବେଶ
ଜଗନ୍ନାଥ ବଳଭଦ୍ର ଦୁଇ ଭାଇ
ହୋଇଥାଆନ୍ତି ବିଶେଷ ।
ଜଗନ୍ନାଥ କୃଷ୍ଣ ବଳଭଦ୍ର ବଳରାମ
ବେଶେ ସୁସଜ୍ଜିତ
ବିଭିନ୍ନ ଆୟୁଧ ସହ ପଦ୍ମାସନେ ଆସୀନା
ସୁଭଦ୍ରା ମାତ ।
ଗୋଡ ଛନ୍ଦି ଥାନ୍ତି କୃଷ୍ଣ ବଳରାମ
ଛନ୍ଦାପୟର ମୁଦ୍ରାରେ
ଜଗନ୍ନାଥ କୃଷ୍ଣ ସ୍ୱର୍ଣ୍ଣ ବଂଶୀ ଧରି
ଥାଆନ୍ତି ଏକ ହସ୍ତରେ ।
ଅନ୍ୟ ହସ୍ତଟିରେ ପଦ୍ମ ଫୁଲ ଶୋହେ
ଶିଙ୍ଘା ଦକ୍ଷିଣ ହସ୍ତରେ
ବଳରାମ ଧରି ଥାଆନ୍ତି କମଳ
ପୁଷ୍ପ ଶୋହେ ବାମ କରେ ।
କିରୀଟ ଉପରେ ସୋଲର ନିର୍ମିତ
ସପ୍ତଫେଣି ସର୍ପ ଥାଏ
କାଠରେ ତିଆରି ହସ୍ତ ବେନି ଠାକୁରଙ୍କୁ
ଲାଗି ହୋଇଥାଏ ।
ଜଗନ୍ନାଥ ବଳଭଦ୍ର ଏକ ଏକ
ପାଗ ମୁଣ୍ଡେ ପିନ୍ଧିଥାନ୍ତି
ପଦ୍ମ ଆସନରେ ରତ୍ନ ସିଂହାସନେ
ଉଭୟେ ବସି ଥାଆନ୍ତି ।
କାଷ୍ଠ ନିର୍ମିତ ଜରି ଜମ୍ବୁରା ଆଚ୍ଛାଦିତ
ରତ୍ନ ସିଂହାସନ
ବାଙ୍କଚୂଳ କିରୀଟ ପତ୍ରଲଗା କଦମ୍ବ
ଫୁଲ ଶୋଭାବନ ।
ପାଉଁଜି ବାଙ୍କି ପାହୁଡ଼ ଗୋଡ଼ମୁଦି
ମଲ୍ଲୀକଢ଼ ଶ୍ରୀପୟ
ର
ଚନ୍ଦ୍ର ଚିତା ନାକଚଣା ହାତଫେର ଖଡୁ
ଶୋଭଇ ଶରୀର ।
ସୁଭଦ୍ରା ମାତାଙ୍କ ମସ୍ତକେ କିରୀଟ
ଏକ ଶୋଭା ପାଉଥାଏ
ସବୁ ଠାକୁରଙ୍କ କିରୀଟରେ କଦମ୍ବ
ଫୁଲ ପତର ଶୋହେ ।
ବଳଭଦ୍ର ଜଗନ୍ନାଥ ବେନି ପାର୍ଶ୍ୱେ
ନନ୍ଦ ଉପନନ୍ଦ ଆଦି
ବସୁଦେବ ଗୋପାଳ ବାଳକେ
ଗୋପୀ ବ୍ରହ୍ମା ସହସ୍ରାକ୍ଷିନ୍ଦ୍ରାଦି ।
ନାରଦ ରୋହିଣୀ ଯଶୋଦା
ଦଣ୍ଡାୟମାନ ଭଙ୍ଗୀରେ ଥାଆନ୍ତି
ଠାକୁରଙ୍କ ଆଗେ ଚାରିଗୋଟି ଗାଈ
ଠିଆ ହୋଇ ରହିଥାନ୍ତି ।
କୃଷ୍ଣ ବଳରାମ ବେଶ ଦ୍ୱିପହର
ଧୂପ ପରେ ହୋଇଥାଏ
ସନ୍ଧ୍ୟା ଧୂପ ହେବା ପର୍ଯ୍ୟନ୍ତ ଏ ବେଶ
ସେହିପରି ରହିଥାଏ ।
ଖିରି ଓ ଅମାଲୁ ଭୋଗ ଲାଗି ହୁଏ
ଠାକୁରଙ୍କୁ ଏ ବେଶରେ
ଖଣ୍ଡସାହି ଜମିଦାର ବେଶ କଲେ
ବିଂଶ ଶତାବ୍ଦୀ ମଧ୍ୟରେ ।
ଜଗନ୍ନାଥ ବଳଭଦ୍ର ଦୁଇ ଦୁଇ
ସୁଭଦ୍ରାଙ୍କ ଚାରି ହସ୍ତ
ଏ ବେଶରେ ହୁଏ ଅତି ମନୋରମ
ଆକର୍ଷଣୀୟ ବେଶ ତ ।
ଗିରିଗୋବର୍ଦ୍ଧନ ବେଶ ହେଉଥିଲା
ପୂର୍ବରୁ ଏହି ତିଥିରେ
କୃଷ୍ଣ ବଳରାମ ବେଶ ହେଉଅଛି
ଦେଶ ସ୍ଵାଧୀନତା ପରେ ।