କୃଷକ ଆତ୍ମାହୁତି
କୃଷକ ଆତ୍ମାହୁତି
ମୋ ଦୁଃଖ କାହାଣୀ କେହି ଶୁଣିଲେନି
ଋଣ ଭାର ଗଲା ବଢ଼ି
ସମସ୍ତ ସପନ ଅଧାରେ ରହିଲା
ଚିନ୍ତାରେ ଗଲି ମୁଁ ବୁଡି ।
ପିଲାଙ୍କ ମୁହଁରେ ଦେବାକୁ ଆହାର
ପାଖରେ ନଥିଲା ଧନ
ଝଡି ବରଷାରେ ଧୋଇ ଯାଇଥିଲା
ରୋଇ ଥିଲି ଯେତେ ଧାନ ।
ବାଡି ବଗିଚାରେ ଯେତେ ଫଳ ଥିଲା
ସବୁ ଗଲା ପୋକ ଖାଇ
କିଟ ନାଶକ ବି କିଣି ପାରିଲିନି
କହିବି କାହାକୁ କାହିଁ ।
ମୁଣ୍ଡର ଝାଳକୁ ତୁଣ୍ଡେ ଦେଉ ଥିଲି
ପରିବାର ସୁଖ ଚାହିଁ
ଆତ୍ମା କାନ୍ଦୁଥିଲା ସମାଜ ଆଗରେ
ନିଜ ସ୍ଵାଭିମାନ ପାଇଁ ।
ଦିମୁଠା ପଖାଳ ପାଇ ପାରିଲିନି
କୃଷିକୁ ଆପଣା କରି
ସମାଜ ଆଗରେ ବଞ୍ଚିବି କେମିତି
ସାହସ ଯାଇଛି ମରି।
ଋଣ ବୋଝ ଆଉ ସହି ପାରିଲିନି
ବିଦାୟ ଯାଉଛି ନେଇ
ଭାବିବନି ଏହା ଆତ୍ମହତ୍ୟା ବୋଲି
କୃଷକର ଦୁଃଖ ଏହି ।
