ଏ କି ଘୃଣ୍ୟ ପ୍ରଥା
ଏ କି ଘୃଣ୍ୟ ପ୍ରଥା
ଏ କି ଘୃଣ୍ୟ ପ୍ରଥା ଦେଖି ଘୁରେ ମଥା
ଗୃହରେ ଶୁଭେ ଚିତ୍କାର
ଜନ୍ମ ଦିନ ନାମେ ଜୀବ ହତ୍ୟା ହୁଏ
ଖାଇବାକୁ ମାଂସ ତାର ।
କେମିତିକା ଏହି ସଂସ୍କାର ସଂସ୍କୃତି
ଅର୍ଦ୍ଧ ନଗ୍ନ ହୋଇ ରାତ୍ରେ
ଅଶ୍ଳୀଳ ସଙ୍ଗୀତେ ନୃତ୍ୟ ରତ ସର୍ବେ
ମଦ୍ୟ ପାନେ ରାତ୍ରି ବିତେ ।
କଳୁଷିତ ଭରା ଅମା ଅନ୍ଧକାରେ
ଲିଭାଇ ଜଳନ୍ତା ଦୀପ
ଛେପ ଆବରଣ ପିଠା ଖଣ୍ଡେ କାଟି
ଦେଖାନ୍ତି ନାନା ବହପ ।
ନାହିଁ ଜାଗ ଯଜ୍ଞ ପ୍ରସାଦ ସେବନ
ଦାନ ଧର୍ମ କଥା କାହିଁ
ନବ ସୂର୍ଯ୍ୟଦୟେ ଠାକୁର ଦର୍ଶନ
କରୁତ ନାହାନ୍ତି କେହି ।
ଆମେ ସନାତନ ସଂସ୍କୃତି ମହାନ
ପୁଣ୍ୟ ତୀର୍ଥେ ଜନ୍ମ ନେଇ
କେତେ ହତାଦର କରୁଛେ ଧର୍ମକୁ
ପାଶ୍ଚାତ୍ୟ ସଂସ୍କୃତି ପାଇଁ ।
