କୃପାନେତ୍ରେ ଚାହାଁ କାଳିଆସୁନା
କୃପାନେତ୍ରେ ଚାହାଁ କାଳିଆସୁନା


ଚକାଆଖିଆ ରେ ମୋ କାଳିଆସୁନା
କି ଲୀଳା କହ ତୁ କରୁ,
ମହାସ୍ନାନ ରଥଯାତ ବାହୁଡା ମୁଁ
ଦେଖେ ଦୂରଦର୍ଶନରୁ।
କରିଛନ୍ତି ଭକ୍ତ ମହାପାପ ଯଦି
ବେଳରୁ ଚେତେଇଲୁନି,
ତୋ ମୁଖଦର୍ଶନୁ ବଞ୍ଚିତ କରି
ଇତିହାସ ଦେଲୁ କରି।
ଭକତ ବିନା ତୁ ମହାସ୍ନାନ କଲୁ
ରହିଲୁ ତାପ ଜ୍ଵରରେ,
ପଥିପଣା ତୋତେ କେମିତି ରୁଚିଲା
ଆସି ବସିଲୁ ରଥରେ।
ମହାନନ୍ଦେ ଟାହିଆକୁ ତୁ ହଲେଇ
ପହଣ୍ଡି କରିଲୁ ଧନ,
ଖୋଜିଲୁନି ଟିକେ ଭକତଙ୍କୁ ତୋର
କେମିତିଆ ଏ ତୋ ମନ।
ଆଶା ଥିଲା ତୋର ବାହୁଡା ବେଳରେ
ଟାଣିବାକୁ ହାତେ ରଥ,
ବାହୁଡା ରଥରେ ସୁନାବେଶ ହୋଇ
ଭୁଲିଲୁ ପ୍ରିୟ ଭକତ।
ମନକୁ ବୁଝେଇ ଦେଲିରେ କାଳିଆ
କପଟ କରିବୁ ନାହିଁ,
ଏ ମହାମାରୀକୁ ଶୀଘ୍ର ଦୂରେଇ ଦେ
ନେତ୍ରେ ଦେଖିବି ମୁଁ ଯାଇ
ଭକ୍ତବିନା ଆଜି ତୋର ବଡ଼ଦାଣ୍ଡ
ଶ୍ରୀହୀନ ଶ୍ରୀହୀନ ଲାଗେ,
କୃପାନେତ୍ରେ ଥରେ ଚାହିଁଲେ ସଂସାର
ହସି ଉଠିବ ତ ବେଗେ।