ସଂଳାପ
ସଂଳାପ
ବିଭୋର ପଣ ର ନିଶା ରେ
ତମାମ ଜୀବନ! ମୁଁ ନାଚିଲି,
କେତେବେଳେ ନୁପୁର ବାନ୍ଧିଲି
ଆଉ କେବେ ନିଜକୁ ହଜେଇଲି............
ଶେଷରେ ମୁଁ ହିଁ ଇତି;
ଆଉ ଆସନ୍ତାକାଲି ର ଦରପୋଡ଼ା ଇତିହାସ।
ତୁମ ପାଇଁ ଯଉ
ଚିମୁଟାଏ ଚିନ୍ତାରେ ମୁଁ
ଗୋଟେ ଚକ୍ରବ୍ୟୁହ କୁ ଭେଦିବାର
ସାହସ ମନରେ ବାନ୍ଧେ
ଦେଖିବ
ଏଇ ଅଲୋଡ଼ାପଣ ହିଁ ଦିନେ
ତୁମର ଅବସୋସ ର କାରଣ ସାଜିବ।
ମୁଁ ଘିଅ ବୋଲି
ଜାଣିବା ବେଳକୁ
ବହୁତ ବିଳମ୍ବ ହେଇ ସାରିଥିଲା,
ଏବେ ମୁଁ ପୂର୍ଣ୍ଣତା ର ମନ୍ତ୍ର ରେ
ଆହୁତି ଦେଉଥିବା ଗୋଟେ ରୂପକ।
କାହାର ଏ ଝୁଣ୍ଟି ପଡ଼ିବା ର ଶବ୍ଦ
କିଏ ସେଠି ପଢ଼ୁଛି
ହାହାକାର ର ଚିଠି,
ଭରିଦିଅ ଶୂନ୍ୟତା
ମାଗିଆଣ ଧାପେ ମୁହୂର୍ତ୍ତ
ଖୋଜାପଡ଼ୁ ସାରା ରାଇଜ
ବ୍ୟାପିଯାଉ ଏକଲାପଣ ର ସଂକ୍ରମଣ।।
ଚାଲିବା ଅପେକ୍ଷା ମୁଁ
ଡେଇଁ ଯିବା ପାଇଁ ବାଧ୍ୟ ହେଲି
ଲକ୍ଷ୍ୟ ଥିଲା ମୋର ବାଟ ସାରିବା
ଝୁଣ୍ଟିପଡ଼ିବା ବେଳେ
ମୋ ଶବ୍ଦ କାହାକୁ ଛୁଇଁନି
ଶେଷରେ ମୁଁ ହାରିଯାଏ କି ହାରି ସାରିଥାଏ
ଆଉ ବୁଝା ପଡ଼େନା।
ନଈ ର ପ୍ରଖର ସ୍ରୋତରେ
ଏମିତି ଭାସିଯାଏ ମୂକ ପିମ୍ପୁଡ଼ି ଟାଏ
କଉଠୁ ଉଡ଼ି ଆସେ ବଣି
ଖୁମ୍ପି ଦିଏ କଞ୍ଚା ପତ୍ର ଟିଏ
ଶିଖାଏ ତା'କୁ ଜିଇଁବା
ଯେମିତି ଏଠି
ତମେ ଲଦିଦିଅ ମୋ ପିଠିରେ ବାରବାର
ପ୍ରେରଣା ର ଧାନପଟ ଟିଏ
ଆଉ ଝୁଙ୍କ ଲଗାଏ ମୁଁ ଗୋଟେ
ଜୀବନ କୁ ହାତେଇବାର।।
