STORYMIRROR

Koushik Lenka

Tragedy Inspirational

4  

Koushik Lenka

Tragedy Inspirational

ଶେଷ ଶୀର୍ଷକ

ଶେଷ ଶୀର୍ଷକ

1 min
208

ମାଟି ଡେଇଁ ଗଲେ

ଆକାଶକୁ ଛୁଇଁ ହୁଏନା

ହେଲେ,

ମାଟିରେ ଝୁଣ୍ଟିଲେ ଈଶ୍ୱର

ହାତ ବଢ଼ାନ୍ତି!

ସମ୍ଭବତଃ କୋଳେଇ ନିଅନ୍ତି।


ଅବାକ୍, ହୋଇ ଦେଖୁଥିଲି ମୁଁ

ହଁ! ଏଇ ତ ସେମିତି!!

ଠିକ୍ ଯେମିତି ଝଡ଼ଟିଏ ବହି

ଆସିଥିଲା ଅଦିନରେ ଆଉ

ଛାଡ଼ି ଯାଇଥିଲା ମେଞ୍ଚାଏ

ଅପେକ୍ଷାର ଖୋରାକ!


ଡେଇଁ ଆସିଲି ଗୋଟେ

ଖଣ୍ଡିଆ ପୃଥିବୀ

ଛୁଇଁ ଆସିଲି କାହିଁ କେତେ ଦୂରର ଆକାଶ

ତଥାପି ପାହୁ ନଥିଲା ରାତି

ନିଜକୁ ମୁକୁଳେଇ ପାରୁ ନଥିଲି

ଜହ୍ନ ରାତିର ମାୟା ଠାରୁ


ସରୁ ନଥିଲା ତାରାଙ୍କ

ଗହଳେ ଇଟିକିଲି ମିଟିକିଲିରଖେଳ

କେହି ଖୋଜୁନଥିଲେ

ଚିହ୍ନା ପାଦର ବାକିଥିବା ଆୟୁଷ;

ସରିଥିବା ବୟସ।

କେବେ କେବେ ଜାଣିଶୁଣି

ହରେଇବାକୁ ପଡ଼େ ବାଟ ଓ ଠିକଣା।।


ଯେଉଁମାନେ ଅନ୍ଧାରରେ ଡୁବ ଦିଅନ୍ତି

ସେମାନଙ୍କୁ ମୁଁ କ'ଣ ଅନ୍ଧ ବୋଲି କହି ପାରିବି

ଯେଉଁ ମାନେ ନିରବତାର ନିର୍ମୋକ ପିନ୍ଧି

ପହରା ଦିଅନ୍ତି

ସେମାନଙ୍କୁ ମୁଁ କ'ଣ କାଲ ବୋଲି କହିପାରେ!

ଯେଉଁ ମାନେ ବାଟ ଚାଲିବା ତ ପଛକୁ ଥାଉ

ଝୁଣ୍ଟି ପଡ଼ନ୍ତି ଅହରହ

ସେମାନେ ତ କେବେ ପଙ୍ଗୁ ନୁହେଁ!!


ତୁମେ, ମାନିନିଅ ଈଶ୍ୱର!!

ତୁମ ରଙ୍ଗମଞ୍ଚରେ

ଅଭିନୀତ ସବୁ ନାଟକ 

ତାଳି ଆଉ ଗାଳିର ଋତୁରେ

ପରଦା ଖସାନ୍ତି ପୁଣି ଉଠାନ୍ତି।


ଯେତେବେଳେ ରକ୍ତ ହେଇ

ବହିଯିବି ଭାବିଛି

ତମେ ମଲମ ହେଇ ନେଶିଗଲ

କେତେ ଅଝଟିଆ ଫାଟ ସବୁକୁ ଥାପି ଦେଇ

ରୋକିଦେଲ: ଏବେ?


ମୁଁ ଅଫୁଟା ବାଣ

ଦେହସାରା ମୋର ବାରୁଦର ରକ୍ତ

ଖେଳିଯାଏ ସାରା ଶିରା ପ୍ରଶିରାରେ

ଅଗ୍ନି ସ୍ପର୍ଶ ପରେ ମଧ୍ୟ

ଶବ୍ଦ କରି ନପାରେ; ହେଲେ ତୁମ ମନର

ଖୁବ୍ ଗଭୀର ଇଲାକାରେ ଭୟର

ତରଙ୍ଗଟିଏ ଉଠାଇ ପାରେ!


ହେ! ଈଶ୍ୱର

ପାରୁଛ ଯଦି ତେଜୁଥିବା

ଆନ୍ଦୋଳନକୁ ରୋକିବା ଲାଗି

ଇସ୍ତଫା ଦିଅ ନିଜ ପଦରୁ।

ଈଶ୍ୱର! ତୁମେ ମଣିଷ ହୁଅ କି ନ ହୁଅ

ଆଉ ପଥର ସାଜନି!


ଅଣ୍ଟିରେ, ଭରିଦିଅ ଅମ୍ଳଜାନ

ଘୋଷେଇ ଦିଅ

"ଶେଷ ଶୀର୍ଷକ"ରଚ‌ଉପଦୀ

ମୃତ୍ୟୁର କାନ୍ଧରେ ସ୍ୱପ୍ନର ଶିକା~ବାହୁଙ୍ଗୀ

ସଜେଇ ବୁଲେଇ ନିଅ

ଆଉଥରେ; ଜୀବନର ସହର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy