STORYMIRROR

Koushik Lenka

Classics Inspirational

4  

Koushik Lenka

Classics Inspirational

ଉପହାସ ହିଁ ଉପସଂହାର

ଉପହାସ ହିଁ ଉପସଂହାର

1 min
228

ସେଇ ପୋଲିସ ଲାଇନରୁ

ଏଫ୍ ଏମ୍ କଲେଜ ଯିବା ବାଟରେ

ଯେତେବେଳେ ମୋ ହାର୍କୁଲେସକୁ

କିଏ ଆଗେଇ ଯାଉଥିଲା;

କେଜାଣି, ପ୍ରଥମ କାଳାଂଶକୁ କବର

ଦବାକୁ ଚାହୁଁଥିବା ସେଇ ଘିଅ ରଙ୍ଗର

ସାର୍ଟ ଭିତରେ ଥିବା

ସତର ବର୍ଷର ଛାତିଟା ଟିକେ ଅଧିକ ଜୋର

ଧାଇଁବାକୁ ଲାଗୁଥିଲା...!


ଅଜଣା ବଳ ସବୁ ସେ ଷ୍ଟିମୁଲସ୍

ଜୋତା ଭିତରେ ଯେମିତି ଜନ୍ମ ନେଉଥିଲା।

ସେବେଠୁ ମୁଁ କେବଳ ଆଗେଇବା ଲକ୍ଷ୍ୟରେ

ନିଃଶ୍ୱାସକୁ ପାଟି ବାଟେ ବାହାର ନକରି

ବଳ ସବୁକୁ ବିନା ତିଥିରେ ବଳି

ପକେଇ ଦ‌ଉଥିଲି...!


ଧିରେ ଧିରେ କେହି ବୁଝେଇବା ଆଗରୁ

ନିଜକୁ ନିଜେ ବୁଝେଇ ଦେଇଥିଲି

ସେଇଟା ପ୍ରତିଯୋଗିତା ହିଁ ଥିଲା।

ସେଇଦିନରୁ ଆଜି ଯାଏଁ ପ୍ରତିଯୋଗିତାର

ପ୍ରତିମୂର୍ତ୍ତି ମୋ ଆଙ୍ଗୁଳିଏ ପ୍ରସ୍ଥର ପକେଟ ଭିତରେ

ଯେମିତି ଜାକି ଜୁକି ହେଇ ରହିଛି....!


ବହୁବର୍ଷ ଆଉ ଅନେକ ବଡ଼ ବର୍ଷା ପରେ

କଦବା କ୍ଵଚିତ ସେ ସାଇକେଲକୁ

ମୁଁ ଖୋଜେ ହେଲେ କାଳେ ଲଢ଼ି ବସିବି ସେ

ପୁରୁଣା ଲଢ଼େଇ ମୁଁ ପୁଣି ତା'କୁ ଅପାରଗ

ବୋଲି କହି ମୁହଁ ଉଠେଇ ଚାଲି ଆସେ...!


ମୁଁ ନିଜେ ଦେଖିଛି

ମୋ ବୋଉ ମୋତେ ମଣିଷ କରିବା ଲାଗି

ସିଲେଇ ମେସିନ ସହ ଲଢ଼ୁଥିଲା।

ଅନେକ ଥର ହାତ ସିଲେଇ ବେଳେ

ସେ ସୂଚ୍ୟଗ୍ର ତା' ବାଁ ପାଖ ମୁଦି ଆଙ୍ଗୁଠିରେ

ଫୋଡ଼ି ହେଇ ଯାଇଛି। ହେଲେ ଆହାଃ

ପଦେ କହିନି କେବଳ ମୋ

ହାତରୁ ସିଲଟ ଖସି ନଯାଉ ବୋଲି....!


ବିର୍ଲାଟାୟାର୍ସ ରୁ ବୁର୍ଲା ମେଡ଼ିକାଲ ର

ସ୍ୱପ୍ନ ଦେଖୁଥିବା ମୋ ବାପା ଅଠାବନ

ବର୍ଷ ବୟସରେ ଅଠର କି.ମି ଧାଉଁଥିଲେ।

ହେଲେ ଯେବେ କମ୍ପାନୀ ଆଉ କମ୍ପନ

କରି ପାରିବନି ମନା କଲା.......

ସେବେଠୁ ସ୍ୱପ୍ନ କେବେ କେବେ ଭାଙ୍ଗିବା

ଲକ୍ଷ୍ୟରେ ଦେଖାଯାଏ ବୋଲି ବୁଝା ପଡ଼ିଗଲା...!


ମୋତେ ମଣିଷ କରିବାକୁ ଚାହୁଁଥିବା

ମଣିଷ ଦୁଇଟା ଆଜି ମଶାଣିରେ

ସେମାନେ ସିନା ହାରି ହାରି ଜିତିଗଲେ

ହେଲେ ମୋର ଜିତିବାର ସ୍ୱପ୍ନ ନଥାଇ ବି

ମୁଁ ହାରିଗଲି.....!


ଆଜି ବି ଯେବେ କିଏ କହେ

ଚାଲୁନୁ ଫର୍ମ ବାହାରିଛି ପକେଇ ଆସିବା

ମୁଁ କହିଦିଏ ହଁ,

ତୁ; ଚାଲ ମୁଁ ଆସୁଛି....!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics