STORYMIRROR

Koushik Lenka

Classics Others

4  

Koushik Lenka

Classics Others

ହେ କବିତା

ହେ କବିତା

2 mins
302

ଆଖି ଖୋଲି ଆଖି ମୁଜିଦେବା

ଭିତରେ ଯେଉଁ ଛଳନା ର ଛ‌ଉନାଚ ଟିଏ

କିଏ ଖୁବ୍ ଜୋରରେ ନାଚି ପାରେ 

ତା'କୁ ମୁଁ କବିତା ବୋଲି ତ କହେ••••


ଯନ୍ତ୍ରଣା ମାନଙ୍କୁ ନିରବତା ର

କାଠଗଡ଼ା ରେ ଭାବନା ର ଗୀତା ଛୁଏଁଇ

କେହିଜଣେ ଯେତେବେଳେ ଅଜାଣତରେ ଗୋଟେ

ଆଜୀବନ ଶପଥ ରେ ବାନ୍ଧି ରଖେ; ସବୁ ଝରା

ମୁହୂର୍ତ୍ତ ମାନଙ୍କୁ ତା'କୁ ମୁଁ କବିତା ବୋଲି କହେ•••••


ପଛକୁ ଫେରୁ ନଥିବା ମୋ

କାନ୍ଥଘଣ୍ଟା ଯେବେ ମଧ୍ୟରାତ୍ରରେ ଖୁବ୍ ଜୋରରେ କାନ୍ଦି ଉଠେ

ଲୁହ ପୋଛିବା ଅପେକ୍ଷା ଯିଏ ଲୁହର ଧାର

କେଉଁ ପଟକୁ ବେଶି ଜୋରରେ ବୋହିଯାଏ;

ଅନ୍ଧାର ଭିତରେ ପରଖୁଥାଏ

ତା'କୁ ତ ମୁଁ କବିତା ବୋଲି କହେ•••••


କଲେଜ ଫାଟକ ପାଖ ସିକ୍ୟୁରିଟି ଗାର୍ଡ

ର ଶେଷ ହୁଇସିଲ ଠାରୁ ପିଅନ ରସାନନ୍ଦ ର

ଶେଷ ଘଣ୍ଟା ଭିତରେ ଦେବଦାରୁ ଡାଳର ଚାନ୍ଦିନୀ ତଳେ

ଶୁଭୁଥିବା ୟୁନିଫର୍ମ ପିନ୍ଧା ଚଟିଆ ମାନଙ୍କ ର

କିଚିରିମିଚିରି ଶବ୍ଦଫୁଲ ସବୁ ଯ‌ଉ ବଗିଚା ର

ତା' ନାଁ ତ କବିତା••••••


ତମେ କିଏ ନଜାଣି;

ଆଉ କେବେ ଜାଣି ଅଜଣା ହେବାର

ଅଭିନୟ କରୁଥିବା ବେଳେ ତମକୁ "ତୁମେ"

ବୋଲି ସମ୍ବୋଧନ କରି ମୋ ମୃଦୁ ହସ

କ‌ଏଦ ହୋଇଥିବା କ୍ୟାମେରା ର ନାଁ

ହ‌ଉଛି କବିତା•••••••


ଶିମିଳିପାଳ ର ବଣୁଆନିଆଁ ର ପାହାଡ଼ି ଚିତ୍କାର

ଯେଉଁ କାନ୍ଥ ଭିତରେ ସବୁଠୁ ବେଶି ଜୋରରେ

ଛାତି ଫଟେଇ ବାହୁନି ବାହୁନି କାନ୍ଦି ଉଠେ

ସେ କାନ୍ଥ ର ଫଟା ଦାଗ କୁ ଭରୁଥିବା

ଚିକିଟା ମାଟି ର ନାଁ କବିତା••••••


ବୋଉ ର ପାଠ ଡିକ୍ସିନାରୀ ରେ

ଯାହା କେବେ ପଢ଼ା ଯାଇ ନାହିଁ

ବାପା ଙ୍କ କାରଖାନା ରେ ଯାହା କୁ

ଆଜିଯାଏଁ ମାନୁଫେକ୍ଚର କରି ହେଇ ନାହିଁ

ଅଜା ଙ୍କ ଖଞ୍ଜଣି ରେ ଯାହା କେବେ ସ୍ୱର ଚିହ୍ନି ପାରିନାହିଁ;

ଏଇ ନାହିଁ ନାହିଁ ଭିତରେ ଯାହା ହଁ ହେଇ

ଛାପିଯାଇଛି ସେ ତ କବିତା••••••••


ରାସନ କାର୍ଡ ର ଟିପ ଚିହ୍ନ ରେ

ଈଶ୍ୱର ଙ୍କ ଠିକଣା ରେ

ବ‌ଉଳ ପେନ୍ଥା ରେ; ମହୁଲି ବାସ୍ନା ରେ

ଯାହାକୁ ଗୋଟେଇ ହୁଏ।

ପୁଣି

ସମ୍ବିଧାନ ର ପ୍ରଣୟନ ଠାରୁ ସଂଶୋଧନ ଭିତରେ

ଯାହା କେବେ ବଦଳି ନାହିଁ ଅବା କେହି

ବଦଳେଇବାକୁ ଚାହିଁ ନାହିଁ ସେ ତ କବିତା••••


ଯିଏ ଦ୍ରୋହ ରେ ଦାହ ହୁଏ

ଅଭିମାନ ରେ ଭାଙ୍ଗି ଯାଏ

ଭାତ ହାଣ୍ଡିରେ ଫୁଟେ

ଚୁଲି ରେ କୁହୁଳେ

ପଣତ ରେ ଗଣ୍ଠି ହେଇ ସାଇତା ହୁଏ

ସ୍ୱପ୍ନ ରେ ଆସେ

ନିଦରେ ହଜେ

ଆଲଣା ର ମାଟି ଗୁଟି ରେ ସଞ୍ଚି ହୁଏ

ଆଉ ପୁଣି କଚଡ଼ା ସହି ଖର୍ଚ୍ଚ ହୁଏ

ସିଏ ମୋ କବିତା

ହାଏ ରେ କବିତା•••••••|



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics