STORYMIRROR

Koushik Lenka

Classics Inspirational

3  

Koushik Lenka

Classics Inspirational

ସ୍ୱପ୍ନ ତଳା

ସ୍ୱପ୍ନ ତଳା

1 min
236

ଆମ ବାଡ଼ି କଳମ ପରି

ଖୁବ୍ ସତେଜ ଆଉ ସବୁଜ ବୋଉର

ଆଉ ଗୋଟେ ଶାଗତଳା ଯ‌ଉଠି ସେ ମୋତେ

ଆଉ ମୋ ସାନ ଭାଇକୁ ବୁଣିଛି।

ଯତ୍ନ ନେଇଛି... ବର୍ଷା ପୂର୍ବରୁ ଜରି ଢାଙ୍କି ଦେଇଛି।


ଆଉ ବାପା! ବି ଏ ସ୍ୱପ୍ନର ତଳିରେ ଖୁବ୍

ସାହାଯ୍ୟ କରିଛନ୍ତି।

ବାପା ଏଠି କେତେବେଳେ ପାଣି ହେଇ

ଛିଞ୍ଚି ହେଇ ଯାଇଛନ୍ତି,

ତ ପୁଣି କେତେବେଳେ ସାର ଆଉ ଖତ ହେଇ

ଚେର ମୂଳକୁ ଖୁବ୍ ଦମ୍ଭ ଦେଇଛନ୍ତି।


ଏଠି ବି ବୋଉ ଜଗି ବସିଛି

ଯେମିତି କ‌ଉ ଚଢ଼େଇ କି ଆଉ କେହି ସରୀସୃପ

ଆସି ଘିଟି ନଯାଉ ଏ ମଞ୍ଜି...

ବାପା ବି ଘ‌ଉଡ଼େଇ ଅଛନ୍ତି କେତେଥର

ପଡ଼ିଶା ଘର କୁକୁଡ଼ା ଆଉ ଛେଳି।


ଏଠି ବୋଉ ଆଉ ବାପା ଦୁହେଁ

ବାଡ଼ ହେଇ ଘେରି ହେଇ ଯାଇଛନ୍ତି ପୁରା

ତଳାଯାକ.....।


ଆଜି ଅନେକ ଦିନ ପରେ

ବୋଉ ଦା' ଧରି ଶାଗ ତଳା ଭିତରେ ପାଦ ଥାପିଲା।

ତା' ସ୍ୱପ୍ନର ଶାଗତଳା।

ହେଲେ ସେ ତୋଳି ପାରିଲାନି ଶାଗ

ବାପାଙ୍କୁ କହିଲା ନେବାକୁ ଏ ଦାୟିତ୍ଵ!

ବୋଧହୁଏ! ବାପା ବି ପାରିଲେନି।


ଆଜି ବାପା ନାହାଁନ୍ତି

ବୋଉ ବି ନାହିଁ

ଶାଗ ତଳା ମାଟିରେ ମିଶିଲାଣି.....

ସାନ ଭାଇର ଠିକଣା ବଦଳି ଗଲାଣି

ମାମୁଁ ଝିଅ ତା' ପାଇଁ ଯେତକ ରାକ୍ଷୀ ପଠାଏ

ସବୁ ଆସି ମୋରି ପାଖରେ ବାଡ଼େଇ ହୁଏ।


ମୁଁ କିନ୍ତୁ ବଦଳିନି

ମୁଁ ସେଇଠି ଅଛି

ଯ‌ଉଠି ବୋଉ ସ୍ୱପ୍ନ ବୁଣୁଥିଲା

ବାପା ପାଣି ହେଇ ଛିଞ୍ଚି ହେଇ ଯାଉଥିଲେ

ପୁରା ତଳି ଯାକ।


ମୁଁ ପୁଣି ଦେଖୁଛି ଆଉ ଏକ

ସ୍ୱପ୍ନ ର ଶାଗ ତଳା

ଯ‌ଉଠି ବାପାଙ୍କ ପୁରୁଣା ସାର୍ଟ ଟଙ୍ଗେଇ ହେଇଛି

କେଉଁ ଏକ ନିର୍ଜନ ମାଠିଆ ପିଠିରେ

ଯ‌ଉଠି ଘେରି ହେଇ ରହିଛି ବୋଉର ନାଲି ଶାଢ଼ୀ

ଯିଏ ପବନ ଦେଲେ ଖୁବ୍ ଜୋରରେ ଉଡ଼େ


ଏଠି ଆଉ ମୁଁ ବୁଣି ନାହିଁ

ସ୍ୱପ୍ନ....ଏଠି ଖାଲି ମୁଠା ମୁଠା

ଅବସୋସ ର ମଞ୍ଜି

ସବୁଜ ଆଉ ସତେଜ ନ ହେଇ ପାରିବାର ଗନ୍ଧ

ଚାରିଆଡ଼େ ଛିଟିକି ପଡ଼େ

ମୁଁ ନିଜେ ଅନୁଭବ କରିପାରେ

ବାପା ହେବା କି ବୋଉ ସାଜିବା ଏତେ ସହଜ କଥା ନୁହେଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics