କହକହ ସଖି କହ
କହକହ ସଖି କହ
ପ୍ରେମ ମୋର କେବେ ଦୀପ ପରି
କେବେ ଧୂପ ପରି ବାସେ ମହମହ
ପ୍ରେମ ମୋର ପରା କୋଣାରକ
ଶିଳାଲିପିରେ ନର୍ତ୍ତକୀ ପାଦର ଘୁଙ୍ଗୁର
ବାଜେ ଯାହା ଅହରହ
ଦୀପ ହୋଇ ଜଳେ ଅବା କେତେ ଜାଳେ
ବାସ୍ନା ତାର ମହମହ
କିଏ ପରଦେଶୀ କିଏ ସେ ବିଦେଶୀ
କହେ ଟିକେ ରହରହ
ଜୀବନ ଗୀତିର ପ୍ରତିଟି ପ୍ରୀତିର
ବେସୁରା ରାଗିଣୀ ଝଙ୍କାର ତୋଳେ
ସେଇ ଅତୀତର ସଞ୍ଜ ସୁପାତି ବେଳେ
ଅନୁରାଗେ କହେ କିଏ କହକହ
ବଉଳ ପାଟର ବକୁଳ ତମାଳ
ବାସ୍ନା ଭରା ସେଇ ମୋହ
ଆଜିବି କହୁଛି ପଣତରେ ପରା
ଲାଗିଛି କେତେ ସ୍ନେହ ମୋହ କୋହ
ପ୍ରେମ ତ ଫଲଗୁ ହୋଲିର ଅବୀର
କିଏ ନଜାଣିଛି କହ
କହ କହ ସଖି କହ
ରାଧା ପ୍ରେମ ସ୍ମୃତି ଆକାଶର ମଲାଜହ୍ନ
ଆପଣାପଣରେ କାହ୍ନୁ ବିରହର କଳାଜହ୍ନ
ଚନ୍ଦନ ସିନ୍ଦୁର ଅଗରୁ ବାସରେ ଚହଚହ l
