କ୍ଷତାକ୍ତ ସ୍ମୃତି
କ୍ଷତାକ୍ତ ସ୍ମୃତି
ଅସ୍ତବ୍ୟସ୍ତ ଆସ୍ଵସ୍ତିର ଉପଲବ୍ଧି
ଶିଖେଇ ଦେଲାତ ଅନେକ କଥା ,
ଆଖିର ଲୁହରେ ସଯତ୍ନେ ସାଇତା
ସ୍ମୃତିର ସୌଧରେ ଭରିଲା ବ୍ୟଥା ।
ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ
ସଯତ୍ନେ ସାଇତା କ୍ଷତକୁ ନେଇ ,
ଅବସ , ଆତ୍ମିକ ଆବେଗରେ ପୂର୍ଣ୍ଣ
କୁହୁଳା ମନର ଭାଷା ଲେଖଇ ।
ଏ' ନୀରବତାର ଅସହାୟତାର
ଛଟ ପଟ ଦେହ ମନ କୁ ନେଇ ,
ଯନ୍ତ୍ରଣା ଛୁଇଁଛି ମନ ଗହନକୁ
ସମ୍ପର୍କ ସତେକି ଯାଏ ଦୂରେଇ ।
ବିସର୍ଜି ପାରେନି ସାଇତା ସ୍ମୃତିକୁ
ଆତ୍ମୀୟତା ପୂର୍ଣ୍ଣ ପ୍ରଥମ ସ୍ୱର ,
ଅନୁରାଗ, ଅନୁରକ୍ତି ଆଶ୍ଳେଷର
ଏକାନ୍ତର ଅନୁଭବ ସାକ୍ଷର ।
ସୂକ୍ଷ୍ମାତିସୂକ୍ଷ୍ମ କ୍ଷତ ଟିକକରେତ
ଲୁହ ହୋଇ ବହେ ଲହୁ ସମ୍ପର୍କ ,
କେହି ହୁଅନ୍ତିନି କାହାର ଆତ୍ମୀୟ
ସନ୍ଦେହ ବିଷରେ ଚାଲେ ବିତର୍କ ।
ଦେଖି ହୁଏନିକି ଦେଖେଇ ହୁଏନି
ଛାତି ତଳ କୋହ ଅକୁହା ଭାଷା ,
ବୈଶାଖୀ ବୁକୁରେ ଅନେକ ଯନ୍ତ୍ରଣା
ପ୍ରତି ନିଶ୍ବାସରେ ନାହିଁ ଭରସା ।
ଶେଷ ଦିନ ଯାଏଁ ଲେଖି ଲେଖି ଯିବି
ଅନୁଭବ, ଅନୁଭୂତି ର ସ୍ମୃତି ,
କ୍ଷତାକ୍ତ ସ୍ମୃତିରୁ ଝରି ପଡୁଥିବ
ଜୀବନ ବହିର କେତୋଟି ମୋତି ।
