" ମଧ୍ଯ ରାତ୍ରୀର କବିତା "
" ମଧ୍ଯ ରାତ୍ରୀର କବିତା "


ବାରାଙ୍ଗନା ଯହିଁ
ଉଜ୍ଜଳ ଯୋୖବନ ମଦେ
ହେତୁତାର ଚନ୍ଦ୍ରିକା ବିଦାରି
ଶରୀର ସୈାରଭ ରଞ୍ଜିତେ ,
କରିବାକୁ ଦୁଃଖ ଅବସାନ
ମୁଗ୍ଧ ଛନ୍ଦେ ଆତ୍ମା ବନ୍ଧୁ
ପ୍ରଣୟର ଭିନ୍ନତାରେ
ଉନ୍ମୁଖତା ଇଚ୍ଛା ମତେ ।
ବୃତ ରହସ୍ୟ ତା
ଆବୃତ ଅଜ୍ଞାନ ଯହିଁ
ମହାର୍ଘ କସ୍ତୁରୀ ପରି
ଭିଜା ଗନ୍ଧ ମନ୍ଦ ମାଧୁରୀରେ ,
ଆନର କାନନ ଲଙ୍ଘି
ବିସ୍ତୃତ ଅମୃତ ଚିନ୍ତି
ପଶ୍ଚାତ ପଦେ ଧାବମାନ
ବାଟ ଅବା ଅବାଟରେ ।
ଆନନ୍ଦ ଚିନ୍ମୟେ ବୁଡେ
ଅହମିକା ଭଉଁରୀରେ
ପଡ଼ି ରହି ଜୀର୍ଣ୍ଣ କ୍ଳାନ୍ତ
ଚେତନାର ଉପବନେ ,
ସେହୁ ସମ୍ପି
ଅହର୍ନିଶ
ତିକ୍ତତା ତା ପ୍ରଚୁର ବି
ଟାଣ କରି ମନଟାକୁ
ତୁଚ୍ଛା ମିଛର ସପନେ ।
ନିଜଠୁ ଲୁଚିବ କି !
ଆଜିର ବାସ୍ତବ କୀଟ
ଗ୍ରାସି କରିଛି ରକ୍ତାକ୍ତ
ଅସ୍ଵାଦନ ପ୍ରତିଟି କ୍ଷଣରେ ,
ସ୍ଵପ୍ନର ରଂଗୀନ ଡେଣା
କୀଟ ପିନ୍ଧି ଉଡିବୁଲେ
ଭଳି ଭଳି ରଂଗ ଦେଇ
ସ୍ଵପ୍ନ ଆଙ୍କେ ଚେତନାରେ ।
ଠିକ୍ ଏଇ ସ୍ଵପ୍ନ ଗୁଡା
ସତେ ଗୋଟିଏ ଗୋଟିଏ
ଦୂଷିତ ମାୟା ଆଉ କାୟା
ଅବା ଅଶାନ୍ତ ବାରାଙ୍ଗନା ,
ଫାଙ୍କାରେ ଉନ୍ମତ୍ତ କ୍ଷଣ
ସଂପର୍କ ବ୍ଯର୍ଥତା ଜାଣି
ତଥାପି ବି... ଉଲ୍ଲସିତ ନିଃସହାୟ
ଭୋଗୁଥାଏ ମଧୁର ଯନ୍ତ୍ରଣା ।