ଶିଳ୍ପୀ ଶିଳାବାଳା
ଶିଳ୍ପୀ ଶିଳାବାଳା
ଉଠ ଲାସ୍ୟମୟୀ ଚିର ହାସ୍ୟମୟୀ
ଘୋଟିଲା ଅନ୍ଧାର ରାତି,
ଆଗୋ ରୂପବତୀ ଜଗାଅ ଗୋ' ପ୍ରୀତି
ଶିଳ୍ପୀ ଗାଉ ଜୟଗୀତି ।
ଅନିନ୍ଦ୍ୟା ରୂପସୀ ତୁମେ ଗୋ' ଷୋଡ଼ଶୀ
ଶିଳ୍ପୀ ସୂକ୍ଷ୍ମ କଳାକୃତି ,
ପ୍ରତିମା ପାଷାଣୀ ବିଳମ୍ବ ହେଲାଣି
ଦିଅ ଗୋ' ତବ ସମ୍ମତି ।
ତୁମ ଛନ୍ଦ ସୁରେ କେତେ ଶିଳ୍ପୀ ମରେ
ଆଗୋ ସ୍ବପ୍ନ ବିଳାସିନୀ ,
କଳାର ପୂଜାରୀ ରଙ୍ଗ ତୂଳୀ ଧରି
ଆଙ୍କିବେ ମଧୁ ଯାମିନୀ ।
ଭରା ଯଉଵନେ ଖେଳିବେ ସପନେ
କରି ଶତ କଳପନା ,
ପାଷାଣର ଦେହେ ହଜିଯିବେ ଯେବେ
ବିନ୍ଧାଣି ସେ' ଖ୍ୟାତନାମା ।
ରୂପେଲି ଜୋଛନା ରୂପସୀ ଲଳନା
ସୁସଜ୍ଜିତ ହେବ ଧାରା ,
ଲହଡ଼ି ଉଠିବ ସାଗର ଗର୍ଜିବ
ବୀଚି ହେବ ସେ' ଅଧୀରା ।
ନିଃଶବ୍ଦ ରାତିରେ ପ୍ରଶସ୍ତ ବୁକୁରେ
ହଜିଯିବେ ନୀଳିମାରେ ,
ପ୍ରତି ପ୍ରତିମାରେ ସ୍ପର୍ଶ ସାନ୍ନିଧ୍ୟରେ
ଖେଳିବେ ସେ' ନିହାଣରେ ।
ଶିଳ୍ପୀ ଆଶା ଦୋଳି ପବନରେ ଖେଳି
ସାଗରକୁ ଚୁମିଯିବ ,
ଆଭୂଷଣ ବିନା ପାଷାଣୀ ଲଳନା
ସାଥୀ ଅଙ୍ଗେ ଜଡ଼ିଥିବ ।
ନେତ୍ର ଢଳ ଢଳ ଦିଶିବ ଉଜ୍ବଳ
ଛିନ୍ନ ଉତ୍ତରୀ ତଳେ ,
ପ୍ରେମ ଫଲ୍ଗୁ ଧାରା ମିଶିଯିବ ପରା
ଚନ୍ଦ୍ରଭାଗା ନୀଳ ଜଳେ ।
ରୁଣୁଝୁଣୁ ସ୍ୱର ହୋଇବ ଅଧୀର
ଓଡ଼ିଶୀ ଛନ୍ଦର ତାଳେ ,
ଶିଳ୍ପୀ ଶିଳାବାଳା ହୋଇବେ ଚଞ୍ଚଳା
ରଜନୀର ଆଢୁଆଳେ ।
ମୂକ ମୁଖଶାଳା ସାଜି ନାଟ୍ୟଶାଳା
ଦୋଳାୟିତ ତବ ଅଙ୍ଗେ ,
ଶୂନ୍ୟ ସିଂହାସନେ ନୀରସ ଜୀବନେ
ଖେଳିବ ଗୋ' ବହୁ ରଙ୍ଗେ ।
ଉଜୁଡ଼ା ସପନ ପାଇବ ଜୀଵନ
ପୁଣି ସେ' ଉଠିବ ଚେଇଁ ,
ଚନ୍ଦ୍ରଭାଗା ନୀର ହେବନି ଅଧୀର
କାନ୍ଦିବନି କଇଁ କଇଁ ।
ପ୍ରତିହତ କର କ୍ଳାନ୍ତ ଶିଳ୍ପୀଙ୍କର
କୋମଳାଙ୍ଗୀ ଶିଳାବାଳା ,
ଉଠ ଚାରୁବାଳା ଅଚଳା , ଚଞ୍ଚଳା
ବଞ୍ଚାଅ ଗୋ' ମୁଖଶାଳା ।
