STORYMIRROR

Sukadev Mahanta

Abstract Tragedy Inspirational

4  

Sukadev Mahanta

Abstract Tragedy Inspirational

କରୋନାର କରାଳ ଛାୟା

କରୋନାର କରାଳ ଛାୟା

1 min
314

ହେ ମଣିଷ !

ତୁମେ ପରା ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ,

ମୁଁ ତୁମର ଏକଲକ୍ଷ ଭାଗରୁ ଭାଗେ ବି ହେବିନି,

ତଥାପି ରହିଅଛ ତୁମେଗୃହେ ବନ୍ଦୀହୋଇ

ମୂଷିକ ସାବକସମ କିଂ କର୍ତ୍ତବ୍ୟ ବିମୂଢେ ଭୀତତ୍ରସ୍ତ ହୋଇ!


ଦିନେ ତୁମେ ଦେଖାଉଥିଲ ଏତେ ଆସ୍ଫାଳନ!

ଏ ସବୁଜ ଗ୍ରହକୁ କରିଛ ବିଦୀର୍ଣ୍ଣ

ଜିଣିବାକୁ କରିଛ ପ୍ରୟାସ

ଶିଳାସ୍ରୋତଠାରୁ ନୀହାରିକା ଯାଏ କରିଛ ଅନୁପ୍ରବେଶ

ଦେଖାଇଛ ତୁମ କରାମତି ବିଜ୍ଞାନର ବଳ

ଚେଷ୍ଟାକରିଅଛ ତୁମେ

ସମଗ୍ର ସୃଷ୍ଟିକୁ କରିବାକୁ ତୁମ ବିକଳ୍ପିତକରତଳ||


ମୁଁ ଅତିଶୟ କ୍ଷୁଦ୍ର ତୁମେ  ଅତିକାୟ

ତୁମେ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ତୁମେ ଏକ ବିସ୍ମୟ,

ମୋତେ କ୍ଷୁଦ୍ର ବୋଲି ତୁଚ୍ଛ ମଣନା 

ମୁଁ ଅଟେ ତୁମ ସୃଷ୍ଟ ବିଧ୍ବଂସୀ କରୋନା,

ମୁଁ କେବଳ ସିନେମାର ଟ୍ରେଲର ଦେଖାଇଛି

ପୂରା ସିନେମାଟା ଦେଖାଇବା ବାକିଅଛି ,

ସେହି ସିନେମାରେ ରହିଛି କେବଳ ଦୁଃସମ୍ବାଦ

ଧରଣୀର ରାସ୍ତାଘାଟ ଶୂନଶାନ୍ ନିସ୍ତବ୍ଧ ନିଃଶବ୍ଦ

କେବେ ଭେଣ୍ଡାପୁଅକୁ ହରାଇ ମାତାର ବ୍ୟାକୁଳ କ୍ରନ୍ଦନ

ତ କେବେ ମାତୃ ପିତୃହରା କଅଁଳ ଶିଶୁର ବ୍ୟାକୁଳ ନୟନ,

କେଉଁଠାରେ ନାରୀ ଭୋଗେ ଅକାଳ ବୈଧବ୍ୟ

ତ କେଉଁଠାରେ ସ୍ତ୍ରୀହରା ପୁରୁଷର କରୁଣ ବକ୍ତବ୍ୟ ,

କେଉଁଠି ମଶାଣୀକୁ ନେବା ପାଇଁ କାନ୍ଧ ମିଳେନା  

ତ କେଉଁଠି ମୁଖାଗ୍ନି ଦେବାକୁ କେହି ଆସିପାରେନା,

ଧନୀ ଗରିବ ଉଚ୍ଚ ନୀଚ୍ଚ, କଳା ଗୋରା, ହିନ୍ଦୁ ମୁସଲମାନ 

ବୁଦ୍ଧ ଜୈନ ଖ୍ରୀଷ୍ଟିୟାନ ସଭିଙ୍କର ଦଶା ଅଟଇ ସମାନ,

ଚାରିଆଡେ ଦୁଃଖର ଲହରୀ ମୃତ୍ୟୁର ବିଭୀଷିକା

ରଚି ହାହାକାର କରି ଛାରଖାର ମଣିଷର ଅହମିକା , 

ପାଚିଲା କଞ୍ଚା କିଛି ମାନେନା, ନାନା ରୂପେ ବିସ୍ତାରି ତା କାୟା

ଚାରିଆଡେ ହାହାକାର ଦେଖି କରୋନାର କରାଳ ଛାୟା ।


ତେଣୁ ଏ କାଙ୍ଗାଳର କଥା ଶୁଣରେ ମଣିଷ

ତୁମେ ଟିକିଏ ଅବାଟରୁ ବାଟକୁ ଫେରିଆସ 

ଭୁଲିଯାଅ ଉଚ୍ଚ ନୀଚ୍ଚ ଭେଦା ଭେଦ ଭାବ

ଧର୍ମ ବର୍ଣ୍ଣ ଜାତି ନାମେ  ହିଂସା ମନୋଭାବ

ସଚେତନ ହୁଅ ତୁମେ ହୁଅ ହୁସିଆର

ସକଳ ଜୀବନର ସମାନତା ଅନୁଭବ କର,

ଧ୍ବଂସକାରୀ ଚିନ୍ତାଧାରା ମନୁ କର ଦୂର

ଯତ୍ନ ନିଅ ଏ ସୁନ୍ଦର ପୃଥିବୀର ପ୍ରକୃତିର ,

ପରିବେଶୀୟ ସନ୍ତୁଳନ ତୁମେ ରକ୍ଷା କର

ଅନବରତ ସମ୍ମିଳିତେ ତୁମେ ଚେଷ୍ଟାକର,

ତୁମ ଶ୍ରେଷ୍ଠତ୍ବର  ପ୍ରତିପାଦନ କର

ସମଗ୍ର ବସୁଧାକୁ ନିଜ ଘର ମନେକର,

'ବସୁଧୈବ କୁଟୁମ୍ବକମ୍' ମହା ଭାବନାର  

ଉଦ୍ରେକ କର ମନରେ ବିଶ୍ବଭ୍ରାତୃତ୍ବର,

ଅମୃତ ସନ୍ତାନ ତୁମେ  ହୋଇ ଏକସୁର

ଗାଇଚାଲ ସଂଗୀତ ବିଶ୍ବଶାନ୍ତି ମୈତ୍ରୀ ପ୍ରୀତିର,

ସ୍ବାର୍ଥପରତାକୁ କର ମନରୁ ବାହର

ହିଂସା ଦ୍ବେଷ  ଲୁଣ୍ଠନକୁ କରିଦିଅ ଦୂର,

ପୂର୍ଣ୍ଣ ମର୍ଯ୍ଯାଦା ଦେବି ମୁଁ ତୁମ ଶ୍ରେଷ୍ଠତ୍ବର

ମୋ ବିରୁଦ୍ଧେ ଶେଷେ ହେବ ବିଜୟ ତୁମର

ରଙ୍ଗୀନ କରି ପୂର୍ବାକାଶ ଉଇଁବ ଆଶାର ଭାସ୍କର 

ଶତପ୍ରାଣ ଏକ ହୋଇ ଗାଇବ ସଙ୍ଗୀତ ଆଶାର ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract