କରୋନା
କରୋନା
ମଣିଷକୁ ଦେଖି ମଣିଷ ଡରୁଛି
ଭୂତାଣୁର ଭୟ ଘାରେ
ମୁଖାରେ ବିତୁଛି ମନତଳ କଥା
ସପନର ଫୁଲ ଝରେ ।
ଆଖିରୁ ଶୁଖୁନି ଲୁହର ଶ୍ରାବଣ
ଛାତିରୁ ଶୁଖୁନି କୋହ
ମଶାଣୀ ଜୁଇରେ ପୋଡି ଯାଉଅଛି
ଅଭିଆଡି ଝିଅ ଦେହ ।
ଜୀବନ ଜୀବିକା ଯାଉଛି ଉଜୁଡ଼ି
ଉଜାଣି ନଈର ଧାରେ
ସୁରଟ'ରୁ ଫେରି ସାତଦିନ ପରେ
ବାପ ଆଗେ ପୁଅ ମରେ ।
ହତାଶା'ର ହାଟେ ହଜେଇ ଦେଇଛି
ସାହସ'ର ସରୁ ସୁତା
ବେଦନାର ବନେ ବାସୀମଡା ଆଜି
ଜାଳୁଛି ନିଜର ଚିତା ।
ଏକାକୀ ଜୀବନ ବଡ଼ ହୀନିମାନ
ହଜାର ଦୁଃଖର ଘର
ସେ ଘର ଭିତରେ ବସି ମୁଁ ଭାବୁଛି
କିଏ ମୋର ଆପଣାର !
ହଜି ଯାଇଅଛି ମାନ ଅଭିମାନ
ଗରବର ଗାଦି ପରେ
ନିଜକୁ ଆଜି ମୁଁ ପାରୁନି ବଞ୍ଚେଇ
ଏତେ ବଡ଼ ଦୁନିଆରେ ।
ସାହସ'ର ବନ୍ଧେ, ଶକତି'ର ଗନ୍ଧେ
ଅଶାର ଦିହୁଡ଼ି ଜାଳି
ଆସ ଆମେ ସବୁ ଏକଜୁଟ ହେଇ
କରୋନା'କୁ ଦେବା ଦଳି ।