କରୋନା ସଂଘର୍ଷ
କରୋନା ସଂଘର୍ଷ
ଧରାପୃଷ୍ଠେ ଜନ୍ମି ହୁଅ ନାହିଁ ଭ୍ରମି
ଜୀବନ ସୋପାନ ଚଢି
କେବେ ସମତଳ ଉଚ୍ଚ ନୀଚ୍ଚ ସ୍ଥଳ
କେବେ ପାଦେ ପଡେ ବେଡି ।
ସୁଖ ଦୁଃଖ ନଦୀ ପାରି କରି ଯେବେ
ଭାସୁ ଥାଏ ଭାଗ୍ୟ ଭେଳା
କେତେ ରୋଗ ଶୋକ ବୋହି ନେଉ ଥାଏ
ନକରିଣ ଅବହେଳା ।
ଅଚାନକ ଆସେ ଅଦୃଶ୍ୟ ବ୍ୟାଧି ଯେ
ଚିନ୍ତାର ଗହଣା ସାଜି
ଆନନ୍ଦିତ ମନେ କଣ୍ଠେ ବାସ କରେ
କରୋନା ନାମରେ ଭିଜି ।
ଏମନ୍ତ ସମୟେ ଉତ୍ପନ ହୁଏ ଯେ
ଘୋର ସଂଘର୍ଷର ରଣ
ହୁରି ପଡ଼ି ଯାଏ ଦେଶ ଦେଶାନ୍ତର
ବିଶ୍ଵ ଥରହର ଜାଣ ।
ବୈଦରାଜ ଗୁପ୍ତେ ଦରଜା ପକାଇ
ଡରେ ପଳାନ୍ତି ଯେ ଦୂରେ
ବ୍ୟାଧି ଘେନି ରୋଗୀ ଚିତ୍କାର କରଇ
ଦୟା କର ବିପଦରେ ।
ସଙ୍କଟ ସମୟେ ଯାନ ବାହାନର
କଟକଣା ପ୍ରତିବନ୍ଧ
ଭେଟ ନକରିବେ ଅତି ସହଜରେ
ବନ୍ଧୁଙ୍କୁ ନଦେବ କାନ୍ଧ ।
ପିତା ଚାଲି ଯାଏ ବିନା ଗଙ୍ଗା ଜଳେ
ଛୁଇଁ ନପାରେ ଯେ ହାତ
ମାତାର ନୟନ ଦୂରୁ ଦେଖୁ ଥାଇ
ମରି ପଡ଼ି ଥାଏ ସୁତ ।
ବିପଣି ବଜାର ବନ୍ଦ ପଡ଼ି ଯାଏ
ଜନ ମଧ୍ୟେ ହାହାକାର
କରୋନା ବ୍ୟାଧି ର ନାମକୁ ଶୁଣିଲେ
ମନୁଷ୍ୟ ଯେ ଥରହର ।
ଶିଥିଳତା ପଡେ ବ୍ୟବସାୟ ମଧ୍ୟେ
ଶିକ୍ଷା କ୍ଷେତ୍ରେ ବାଧା ପ୍ରାପ୍ତ
ଅନଲାଇନ୍ ର ସହଯୋଗ ପାଇ
ବିଦ୍ୟାର୍ଥୀ ଟିକିଏ ତୃପ୍ତ ।
ମୁଖେ ଦେଲେ ତୁଣ୍ଡି ନାହିଁ ଯେ ଔଷଧି
ପ୍ରଭୁ ପାଦେ ପ୍ରାଣ ଢାଳି
ଜଗତ କର୍ତ୍ତାଙ୍କ ପୂଜାର୍ଚ୍ଚନା ନେଇ
ଭକ୍ତ ଲଗାଇଲେ ଅଳି ।
କରୋନା ଭୁତାଣୁ କର ଦିଏ ସ୍ଥାଣୁ
ଆହେ ପ୍ରଭୁ ଚକ୍ରଧର
ବ୍ୟାଧି ମୁକ୍ତ କରି ଜଗତ ଉଦ୍ଧାରି
ପ୍ରଭାତୀକୁ କ୍ଷମା କର ।