କ୍ରୋଧ
କ୍ରୋଧ
କ୍ରୋଧ ହିଁ ନରକର ଦ୍ୱାର
କାମ ଲୋଭ ଜନକ ତାର ।।୧।।
ହିଁସାର ବନ୍ଧୁ ଅଟେ କ୍ରୋଧ
ଉଭୟେ ଜନ୍ମାନ୍ତି ପ୍ରମାଦ ।।୨।।
ବାଧାଟି ପାଇଲେ କାମନା
କ୍ରୋଧ ନାମରେ ହୁଏ ଗଣା ।।୩।।
କ୍ରୋଧରୁ ମନର ଯନ୍ତ୍ରଣା
ଦିଅଇ ଅଶେଷ ଗଞ୍ଜଣା ।।୪।।
କ୍ରୋଧ କରଇ ସର୍ବନାଶ
ମିଳଇ ଅଶାନ୍ତି ବିଶେଷ ।।୫।।
କ୍ରୋଧୁ ମୂଢତା ଅବିବେକ
ସଦା ଉତ୍ପନ୍ନ ହୁଏ ଦେଖ ।।୬।।
ଅବିବେକରୁ ହୁଏ ଜନ୍ମ
ସ୍ମରଣ ଶକ୍ତିର ବିଭ୍ରମ ।।୭।।
କ୍ରୋଧ ଆରମ୍ଭ ମୁର୍ଖତାରୁ
ଶେଷ ହୁଏ ପଶ୍ଚାତ୍ତାପରୁ ।।୮।।
କ୍ରୋଧ ଆସିବା ତତ୍ କ୍ଷଣି
ମନର ଶାନ୍ତି ଭଙ୍ଗ ପୁଣି ।।୯।।
କ୍ରୋଧ ଯୋଗୁଁ ପରିବର୍ତ୍ତନ
ମନେ ଘଟଇ ଘନଘନ ।।୧୦।।
ସୁନ୍ଦର ବ୍ୟକ୍ତି ଅସୁନ୍ଦର
ଦିଶଇ ସତେକି ଅସୁର ।।୧୧।।
ସୁସ୍ୱାଦୁ ଖାଦ୍ୟ ଲାଗେ ତିକ୍ତ
ମଣିଷ ହୁଏ ଅସନ୍ତୁଷ୍ଟ ।।୧୨।।
କ୍ରୋଧର ଭାବପ୍ରବଣତା
ପାଗଳାମିର କ୍ଷୁଦ୍ର ଯନ୍ତା ।।୧୩।।
କ୍ରୋଧ ଅଟଇ ନିଆଁଭଳି
ଆୟତ୍ତବିନା ଦେବ ଜାଳି ।।୧୪।।
ତୁଳନା କଲେହେଁ କ୍ରୋଧର
ଅଟେ ସେ ପ୍ରେସରକୁକର ।।୧୫।।
ଚାପ ପ୍ରୟୋଗରେ କୁକର
ବିସ୍ଫୋଟ ଘଟଇ ସତ୍ତ୍ଵର ।।୧୬।।
ସେପରି କ୍ରୋଧର ବୃଦ୍ଧିରେ
ବିସ୍ଫୋଟ ହୁଅଇ ଶରୀରେ ।।୧୭।।
ବଢଇ ହୃଦୟ ସ୍ପନ୍ଦନ
ସମୁଦ୍ର ଲହରୀ ଯେସନ ।।୧୮।।
ରକ୍ତଚାପର ଉତ୍ତୋଳନ
ହୁଅଇ ଉତ୍ଥାନ ପତନ ।।୧୯।।
କ୍ରୋଧରୁ ହୁଅଇ ଉତ୍ପନ୍ନ
ଦୁଇଟି ହର୍ମୋନ କ୍ଷରଣ ।।୨୦।।
ଏକଟି ଆଡ୍ରେନାଲାଇନ
ଦୁଇ ନେଲୋଡ୍ରେନାଲାଇନ ।।୨୧।।
ହର୍ମୋନ ହୋଇଣ କ୍ଷରିତ
ଶରୀର ମନ ଆନ୍ଦୋଳିତ ।।୨୨।।
କ୍ରୋଧର ପ୍ରଭାବ ଶରୀରେ
ପ୍ରତିକ୍ରିୟାର ରୂପ ନିଏ ।।୨୩।।
କ୍ରୋଧୀ ଜନର ବହୁରୋଗ
ଥଣ୍ଡା ଫ୍ଲୁ ବାତ ଚର୍ମରୋଗ ।।୨୪।।
ଆଜମା ହୁଏ କ୍ରୋଧୁ ଜାତ
ମାନବେ ପୀଡଇ ବହୁତ ।।୨୫।।
ଇଚ୍ଛାପୂର୍ତ୍ତିର ଅଭାବରୁ
ହତାଶ ଆଘାତ ହେବାରୁ ।।୨୬।।
ପ୍ରଶଂସା ଚୁକ୍ତି ଅଭିଳାଷ
ଅପୂରଣେ ହୁଏ ନିରାଶ ।।୨୭।।
ମଣିଷ ହୁଅଇ କ୍ରୋଧିତ
ଶରୀର ମନ ପ୍ରପୀଡ଼ିତ ।।୨୮।।
କ୍ରୋଧସମ ଆଉ ପାତକ
ସଂସାରରେ ଅଛି କେ ଦେଖ ।।୨୯।।
କ୍ରୋଧରୁ ମୋହ ହୁଏ ଜନ୍ମ
ମୋହ କରେ ସ୍ମୃତି ବିଭ୍ରମ ।।୩୦।।
ସ୍ମୃତିନାଶରୁ ବୁଦ୍ଧି ଭ୍ରଂଶ
ବୁଦ୍ଧିଭ୍ରଂଶରୁ ପ୍ରାଣନାଶ ।।୩୧।।
ରାବଣ ଜରାସନ୍ଧ କଂସ
ପୁଣିଟି କୌରବଙ୍କ ବଂଶ ।।୩୨।।
କ୍ରୋଧରୁ ହୋଇଅଛି ନାଶ
ବୁଦ୍ଧିକୁ କରିଣ ବିନାଶ ।।୩୩।।
କ୍ରୋଧଟି ଜନମେ ଲୋଭରୁ
ଶତ୍ରୁତା ଜନ୍ମଇ କ୍ରୋଧରୁ ।।୩୪।।
ଜନ୍ମିଲେ ମାନବେ ଶତ୍ରୁତା
ଲୋକେ ତ ଆଚରେ ନୀଚତା ।।୩୫।।
କ୍ରୋଧହିଁ ମହାଶତ୍ରୁ ଜାଣ
କ୍ରୋଧ ବର୍ଜନ ମହାପୁଣ୍ୟ ।।୩୬।।
କାମର କ୍ଷୟେ କ୍ରୋଧ ଯାଏ
ଅର୍ଥ ବର୍ଜନେ ଲୋଭ କ୍ଷୟେ ।।୩୭।।
କ୍ରୋଧ ନକରିବା କାହାକୁ
ମହତ କାର୍ଯ୍ୟ ବୋଲି ତାକୁ ।।୩୮।।
କ୍ରୋଧକୁ କରିବା ଆୟତ୍ତ
ସହଜ ନୁହଁଇ ସତେତ ।।୩୯।।
ମଣିଷ ଅଭ୍ୟାସ ବଳରେ
ଅସାଧ୍ୟ କରିପାରେ ହେଳେ ।।୪୦।।
କ୍ରୋଧ ଆସିବା ସ୍ଥାନ ଛାଡ
ମନ କରିଣ ଅତି ଦୃଢ ।।୪୧।।
ଦର୍ପଣରେ ମୁଖ ଦର୍ଶନ
ଦୁଇଟି ଗ୍ଲାସ ଜଳପାନ ।।୪୨।।
ଚିତ୍ ହୋଇ କର ଶୟନ
କହିବନି କିଛି ବଚନ ।।୪୩।।
ସଙ୍ଗୀତ ଶ୍ରବଣରେ ମଗ୍ନ
ଥଟ୍ଟା ମଜ୍ଜାର କଥା ଶୁଣ ।।୪୪।।
ଏସବୁ କରିଲେ ଉପାୟ
କ୍ରୋଧର ବିନାଶ ନିଶ୍ଚୟ ।।୪୫।।
କ୍ରୋଧ ଉପରେ ନିୟନ୍ତ୍ରଣ
ଶାନ୍ତି ଧୈର୍ଯ୍ୟ ଓ କ୍ଷମାଦାନ ।।୪୬।।
ନିଃସ୍ୱାର୍ଥପର ଜନସେବା
ଈଶ୍ୱରେ କର୍ମ ସମର୍ପିବା ।।୪୭।।
ଏକାନ୍ତ ସ୍ଥାନେ କଲେ ଧ୍ୟାନ
କ୍ରୋଧ ହୋଇବ ପ୍ରଶମନ ।।୪୮।।
କାମନା କରିବ ଦହନ
ଭୂଲୋକୁଁ ସର୍ବଦା ତଡିଣ ।।୪୯।।
କ୍ରୋଧକୁ ଯତ୍ନେ କର ଶେଷ
ଭୁବଲୋକୁଁ ସେହି ପୁରୁଷ ।।୫୦।।
ସ୍ୱଲୋକୁଁ ଲୋଭକୁ ତଡିବ
ତେବେ ଶାନ୍ତିରେ ବିଚରିବ ।।୫୧।।
କାମ କ୍ରୋଧ ଓ ଲୋଭ ପୁଣ
ନର୍କର ତିନିଦ୍ବାର ଜାଣ ।।୫୨।।
ଏ ତିନି ହୋଇଲେ ମିଳନ
ମାନବର ଧ୍ୱଂସ ସାଧନ ।।୫୩।।
ଯେ ବ୍ୟକ୍ତି ଉଚ୍ଚମନା ଥିବ
ଏହାକୁ ତ୍ୟାଗ ସେ କରିବ ।।୫୪।।
ତିନିହେଁ ନିବୃତ୍ତ ହୋଇଲେ
ଦୈବୀ ପ୍ରକୃତି ଆସି ମିଳେ ।।୫୫।।
ସେହି ପୁରୁଷ ଲଭେ ଜ୍ଞାନ
ପରମାର୍ଥରେ ଦିଏ ମନ ।।୫୬।।
ମୃତ୍ୟୁକୁ ଅତିକ୍ରମି ଯାଇ
ଅମୃତପଦ ସେ ଲଭଇ ।।୫୭।।