କପଟି ନାୟିକା
କପଟି ନାୟିକା
ଆଉ ଅଧିକ ତୋଠାରୁ ଆଶା
କି କରାଯାଇପାରେ,
ଏତିକି ମାତ୍ର କପଟ ବୋଲି
ଶବ୍ଦ ଯା' ମିଳିପାରେ।
ପ୍ରେମ ତୋହର କୁହୁଳା ନିଆଁ
ଧୂସର ପାଉଁଶିଆ,
ସାଗର ପାରି ମାୟା ଲହଡ଼ି
ଯେମିତି କୁହୁଡିଆ।
ପ୍ରେମ ତୋହର ମିଠା ଜହର
ସତେ କି ଚୋରାବାଲି,
ଯିଏ ପଡ଼ିଛି ତୋ ପ୍ରେମେ ଏଠି
ବୁଡ଼ି ମରିଛି ଖାଲି।
ଶୋଷତଶୋଷ ତୋ ପ୍ରେମଶୋଷ
କେବଳ ଅବଶୋଷ,
କାହାରି ତୃଷ୍ଣା କେବେ ମରିନି
ବରଂ ଲିଭିଛି ହସ।
ମାୟା ନଗରୀ ନାୟିକା ତୁହି
କପଟ ଠିକଣାରେ,
ପ୍ରତାରଣାରେ ଘର କରିଛୁ
ଅନେକ ହୃଦୟରେ।
ସାମ୍ରାଜ୍ୟ ତୋର ଅନ୍ଧାରୀ ଘର
ବୁଢିଆଣୀର ଜାଲ,
ସେ ଘରେ ରାଣୀ ମହୁମାଛି ତୁ
ଖୋଜୁଛୁ ସୌଦାଗର।
ପ୍ରେମ ତୋହର ବୋଳା ଓଠର
ଲିପ୍ଷ୍ଟିକ୍ର ଗାର,
ରାତିକ ପାଇଁ ଓଠରେ ରହେ
ସକାଳେ ଆଉ କା'ର।
ପ୍ରେମ ତୋହର କୋକାକୋଲାର
କାଚ ବୋତଲ ପରି,
ଅନେକ ଓଠ ଛୁଆଁ ପାଇ ବି
ହୋଇପାରେନି କାହାରି।
ପାନ୍ଥଶାଳାର ହୃଦୟ ତୋର
ନାନା ଅତିଥି ପାଇଁ,
ସେ କିଣା ବିକା ପ୍ରେମରେ କ'ଣ
ପ୍ରକୃତ ସୁଖ ଥାଇ?
କ୍ଷଣିକ ସୁଖ ଚଖେଇ ଚାଖୁ
ନାନା ଜୀବନ ସ୍ଵାଦ,
ତଥାପି ତୋର ପାଖରେ ଭିଡ଼
ଅନେକ କାମଅନ୍ଧ।
କଣ୍ଢେଇ ଦେଇ ଭଣ୍ଡେଇ ଦେଉ
ସ୍ଵାର୍ଥ ହାସଲ ପାଇଁ,
ତୋ ପ୍ରେମ ଚିନ୍ତା ଚିତା ପର୍ଯ୍ୟନ୍ତ
କନ୍ଦେଇ ମାରୁଥାଇ ।
ମୁଁ ନୁହେଁ କବି ନୁହେଁ ଲେଖକ
ଲେଖି ପାରିବି ଯାହା,
ମାତ୍ର "କପଟି ନାୟିକା"ବୋଲି
ଦେଲି କବିତା ନାଆଁ ।

