"କୋରୋନା ଲହର " (ବ୍ୟଙ୍ଗ)
"କୋରୋନା ଲହର " (ବ୍ୟଙ୍ଗ)
ନଦୀଟେ ଅବା କି ସମୁଦ୍ରଟେ ଇଏ
ଲହର ଲହର ହେଇକି ,
ପ୍ରଥମ , ଦ୍ଵିତୀୟ ... ଗଣି ଗଣି ଦେଖ
ମାଡି ଆସେ କୂଳ ଲଙ୍ଘିକି ।
ବରଷକ ତଳେ ଡରେଇକି ଗଲା
ଏ ବରଷ ମାରୁଅଛି ବିଧା ପିଠିକି ।
ପୋଲିସ ବାଲାଙ୍କ କଡ଼ା କଥା ସାଂଗେ
ଦେଖି ତାଙ୍କ ରୁଲ୍ ବାଡିକି ,
ଯାଇ ହେଉ ନାହିଁ ସକାଳେ ସଞ୍ଜରେ
ଚା ଦୋକାନର ଖଟିକି ,
କେବେକୁ ସରିବ କୋରୋନା ଲହର
ହାତ ଯୋଡୁଥାଏ ଚାହିଁ ଟିଭିକି ।
ଛଟ ପଟ ହୋଇ ମରଣ ରାସ୍ତାରେ
ଅମ୍ଳଜାନ ଟିକେ ପାଇଁକି ,
ଏଇ ଆଖି ଆଉ ସହି ପାରୁ ନାହିଁ
କୁଢ଼ କୁଢ଼ ଶବ ଦେଖିକି ,
କାହିଁ ଗଲା ସେଇ ସବୁଜ ବନାନୀ
ରହେ ମୁଁ କୋଠାକୁ ଚାହିଁ କି ।
ହାତ ଟେକିଲାଣି ସରକାର ଏଠି
ନିର୍ବାଚନ ରାଲି ସାରିକି ,
ଅଳ୍ପ ଟେଷ୍ଟ କରି ଅଳ୍ପ ସଂକ୍ରମିତ
ଫିଗର ପଲିଟିକ୍ସ ପାଇଁ କି ,
ଶହେଟା ଚିତାରେ ଦଶଟା ମରଣ
ଅପଡେଟ କରନ୍ତି ଗଣିକି ।
କେମିତି କେଜାଣି ରୋଗଟାଏ ଇଏ
ବାହାରୁନି କାହିଁ ଖୁରାକି ,
ଭାକ୍ସିନ ଭାକ୍ସିନ ଚହଳ ପଡ଼ିଛି
ହୋସ୍ ଉଡେ ଧାଡ଼ି ଦେଖିକି ,
କେତେ ଛଟପଟ ବିଜ୍ଞାନୀ ମଣିଷ
ବିକଳ ବଞ୍ଚିବା ପାଇଁ କି ।
ସକାଳୁ ସକାଳୁ ବୁଲି ଆସୁ ଭେରେ
ବାହାନା ଟିକିଏ କରିକି ,
କେତେ ଦିନ ସାରା ବସିବ ବା ଅବା
ମୋବାଇଲ, ଟିଭି ଡୁଙ୍ଗିକି ,
ଘରମଣୀଙ୍କର ସପିଙ୍ଗ ମଲ, ପାର୍ଲର
ସବୁ ପଶିଲାଣି ପରା ଚୁଲିକି ।
ଘରେ ଘରମଣୀ ଖାଲି ଗରଗର
ଦଶ ଦଶ ଥର ଚା କରିକି ,
ବେସନ, ପିଆଜ ଅଛି କି ପଚାରେ
କାଳ ଆଉ ବେଳ ଉଣ୍ଡିକି ,
ଲୁଣିଆ ଅଲଣା ଆଉ ମୁଁ ଦେଖୁନି
ତା ଅବସ୍ଥାକୁ ଘରେ ଦେଖିକି ।
ଗ୍ରୋସରି ପରିବା କିଣିବାକୁ ଗଲେ
ଯାଏ ନାକରେ ତୁଣ୍ଡିଟା ବାନ୍ଧିକି ,
ଭିଡ଼ ଦେଖୁ ଦେଖୁ ଭୟ ଲାଗିଯାଏ
ସେ କୋରୋନା ବି ପଡେ ଚମକି ,
କେତେ ସରି ଆଉ ହୋଇଲେ କେଜାଣି
ଚଳିବେ ନିୟମ ମାନିକି ।
ଘରକୁ ଫେରିଲେ ଘରଣୀ ସୁନ୍ଦରୀ
ଘର ବାଟ ତାଲା ଦେଇକି ,
ତହିଁ ଆର ଦିନ ସକାଳର ଯାଏ
ଲୁଚାନ୍ତି ସେ ଚାବି କାଠିକି ,
ବାରବୁଲା ଆମେ ଭାରି ସଜରିଆ
ଚଳନ୍ତି ଆମକୁ ଦେଖିକି ।