କଣ୍ଢେଇ ପରି ଭଣ୍ଡେଇ ଦେଲୁ
କଣ୍ଢେଇ ପରି ଭଣ୍ଡେଇ ଦେଲୁ
କାହିଁକି ମା ଲୋ ଦୟା ନାହିଁ ତୋର
ତୁହି ତ କରୁଣାମୟୀ
ସକଳେ ବୋଲନ୍ତି ଜଗତ ଜନନୀ
ମୋ ବେଳେ ଗଲୁ କି ଶୋଇ ।
ଭଜା ବାଲି ପରି ପଥ ବିଛାଇଲୁ
ପାଦ ଗଲା ମୋର ପୋଡ଼ି
କରୁଣା ଟିକିଏ ହେଲା ନାହିଁ ତୋର
ଛାଡ଼ୁ ଥିଲି ଯେବେ ରଡ଼ି ।
ଜନମ ଦେଇଣ କରମ କରିଲି
ସ୍ବାର୍ଥ ତ୍ୟାଗୀ ନିରନ୍ତର
ମୁହିଁ ଯେ ତୋହର ସନ୍ତାନ ପରିକା
କାହିଁକି ଭାବିଲୁ ପର ।
ଉଦର ବୁଝି ମୁଁ ପୁତ୍ର ପୁତ୍ରୀ ପାଇଁ
ବାଢୁ ଥିଲି ଖିରି ପୁରି
ତୁହି ବୁଝିବାକୁ କିଏ ବାଧା ଦେଲା
କୃପା କଲୁ ନାହିଁ ଶିରୀ ।
କୋଟି କୋଟି ଭକ୍ତ ତୋ ଚରଣ ସେବି
ମୁକତି ଲଭିଲେ ମର୍ତ୍ତ୍ୟେ
କେଉଁ ଅପରାଧେ ଶାସ୍ତି ପାଏ ମା
ଭାସୁଛି ମୁଁ ଅଶ୍ରୁ ସ୍ରୋତେ ।
ଯେଉଁ ଡାଳ ଧରେ ପଡେ ସେ ଭୂମିରେ
ହରାଇ ଶକତି ବଳ
ସୁଦୟା କରିଣ କହିବୁ ମାତା ଲୋ
ମୋ ସଙ୍ଗେ କାହିଁକି ଛଳ ।
ମଙ୍ଗଳ ଦାୟିନୀ ହେ ବ୍ରହ୍ମଚାରିଣୀ
ସୁମରଣା କରେ ମୁହିଁ
ପାତକ ନାଶିନୀ କ୍ଷମା ପ୍ରଦାୟିନୀ
ପାର୍ବଣେ ରହିଛି ଚାହିଁ ।
ହସୁ ଥିବ ଧରା ବାଜିବ ନାଗରା
ବାଜିବ ମୃଦଙ୍ଗ ଘଣ୍ଟ
ତୋ ମଙ୍ଗଳ ପର୍ବେ ସବୁରି ପାଇଁକି
ମୋ ପାଇଁ କରିଲୁ ଆଣ୍ଟ ।
ପାଖରେ ରଖିଛୁ ଦୟାର ସାଗର
ଭକତ ବିପତ୍ତି ପାଇଁ
ମୁଁ ଜଣେ ଦୁଃଖିନୀ ତୋତେ ଝୁରି ମରେ
କାହିଁକି ଲୋ ନିଘା ନାହିଁ ।
ଫେରି ମୁଁ ଯାଉଛି ତୋ ଦୁଆରୁ ମା
ରଖି ହୃଦୟର ବ୍ୟଥା
ସତେ ଯଦି ତୁହି ମା ହୋଇ ଥିବୁ
ଶୁଣିବୁ ଆତୁର କଥା ।