କଣ୍ଢେଇ ନାଚ
କଣ୍ଢେଇ ନାଚ
ବହୁ ପ୍ରତିକ୍ଷିତ ଏ କଣ୍ଢେଇ ନାଚ
ସମ୍ଭବତଃ ଏଇ ମୂହୂର୍ତ୍ତରୁ ଆରମ୍ଭ ମାତ୍ର
ରଙ୍ଗବେରଙ୍ଗର କଣ୍ଢେଇ ଯେତେ
ଉଦବେଳିତ ଭାବନାରେ ଅଭିଭୂତ
ଯେମିତିକି ସୀମାହୀନ ନୀଳ ଆକାଶର
ଡେଣା ମେଲି ଉଡିବାକୁ
ଅବା ହିମାଳୟ ଚୂଡା ଛୁଇଁବାକୁ
ମନରେ ଅବଶ୍ୟ ପ୍ରବଳ ଆକାଂକ୍ଷା
ପୁନଶ୍ଚ ସୁସଜ୍ଜିତ ରଙ୍ଗଭୂମି
ଅଭିନବ ଜାକଜକମ ପଟୁଆର
ଡାକବାଜି ଯନ୍ତ୍ରର ଏ ବିକଟ ଶବ୍ଦ ତରଙ୍ଗ
ଗଗନ ପବନ ପ୍ରକମ୍ପଇ ଏଠେଇ ।
ଅଦ୍ଭୁତ ଚିତ୍ରପଟ ଆଢୁଆଳେ
ସ୍ବୟଂଘୋଷିତ ନିର୍ଦେଷ୍ଟାର ଇସାରା
ଅବିରତ ନୃତ୍ୟରତ କଣ୍ଢେଇ ମାନେ
ମତୁଆଲା ସତେକି ମହୁଲି ନିଶାରେ
ପାଣିର ଗାର ପରି ପ୍ରତିଶ୍ରୁତି ଶୁଣିଶୁଣି
ଉନ୍ମାଦିତ ପ୍ରଗଳ୍ଭ ଯେତେ ସବୁ କଣ୍ଢେଇ
ଅତିଶୟ ଅନୁରକ୍ତ ଯେହେତୁ
ଆସନ୍ତାକାଲିର ସତେଜ ସକାଳକୁ
ଅତଏବ ମନରୁ ପାସୋରି ଦିଅନ୍ତି
ହାତୀ ଘୋଡା ପ୍ରତ୍ୟାଶାରେ
ବିଭୋର ହୁଅନ୍ତି ଯେମିତି...।
ଅବଶ୍ୟ କ୍ଷଣମାତ୍ରେ ନାଟ ସରିଯାଏ
ଖାଦ୍ୟ ପାନୀୟର ସୁବ୍ୟବସ୍ଥା
ଆପ୍ୟାୟିତ କଣ୍ଢେଇ ସବୁ
ସୁନେଲି ସ୍ବପ୍ନରେ ଭିଜିଭିଜି
ମନରେ ଗଡ ଜିଣିବାର ଆସ୍ଫର୍ଦ୍ଧା
ସ୍ବଆଳୟେ ଫେରିବାର ବେଳ
ସଞ୍ଜ ନଇଁ ରାତି ଆସେ
ପୁଣି ଆକାଶରେ ଜହ୍ନ ଦେଖାଦିଏ
କେତେବେଳେ ନିଦ ଆସିଯାଏ
ପରନ୍ତୁ...
ରାତି ପାହିଲା ବେଳକୁ
ନା ଥାଏ ପାଦର ଘୁଙ୍ଗୁର
ନା ଶୁଭେ ବଇଁଶୀର ସ୍ବର
ଦ୍ରବୀଭୂତ ଅଭିଳାଷ ଯେତେ
ପାଣିରେ ମିଳାଇଯାଏ
ଅଣଲେଉଟା ସମୟ ସୁଅରେ ।
