ବାପା
ବାପା
ସାରସ୍ୱତ ଅନୁଭବ ବିଶୁଦ୍ଧ ଜଳାଧର
ସ୍ୱତଃସ୍ଫୁର୍ତ୍ତ ଚଞ୍ଚଳ ପୂର୍ଣ୍ଣସିଦ୍ଧ ଅଧୀଶ୍ଵର
ସୃଷ୍ଟିର ଅୟମାରମ୍ଭ କାରଣ ସର୍ଜନାର
ସୀମାହୀନ ଗଗନ ସମ ହୃଦୟ ବିଶାଳ
ଦୃଢତାରେ ହିମାଳୟ ନିର୍ଭୀକ ସଦାଚାର
ଉଦାରତା ପଣରେ ଗଭୀର ମହାସାଗର
ନ୍ୟାୟ ପଣେ ନିଷ୍ଠାବନ
ସାଧୁତାରେ ବଳୀୟାନ
ନିଜ ଲୁହ ନିଜେ ପିଇ
କୁହଯେ' ମଧୁର ବାର୍ତ୍ତା
ତୁମେତ ସ୍ୱୟଂ ଶାଶ୍ୱତ ଅନୁଚିନ୍ତା
ହୃଦୟେ ଭରିଛ କେତେ
ଅସରନ୍ତି ଅନୁକମ୍ପା
ବାପା ll1ll
ଆସୁ ଯେତେ କର୍କଶତା ଉତ୍ତପ୍ତ ନିଦାଘର
ଅଦିନିଆ ଝଡଝଞ୍ଜା ଏ କାଳ ବୈଶାଖୀର
ନିର୍ବିବାଦ ସଚେତକ ସହନଶୀଳତାର
ସ୍ଥିରତା ସହିଷ୍ଣୁତା ପଣେ ବିସ୍ତୃତ ପ୍ରାଚୀର
ନିର୍ବିଘ୍ନରେ ସହିଯାଅ ଅବ୍ୟକ୍ତ କ୍ଳେଶଭାର
ନିରବେ ନୟନୁ ଝରେ ଉଷ୍ମ ଲୋତକ ଧାର
ସୁଖର ସଉଦା କିଣି
ସଭିଙ୍କର ମନ ଜିଣି
ସଳିତା ସଦୃଶ ଜଳି
ଦିଅଯେ' ଶାନ୍ତିର ବାର୍ତ୍ତା
ତୁମେତ ସ୍ବୟଂ ଶାଶ୍ୱତ ଅନୁଚିନ୍ତା
ହୃଦୟେ ଭରିଛ କେତେ
ଅସରନ୍ତି ଅନୁକମ୍ପା
ବାପା ll2ll
ସ୍ୱଚ୍ଛତା ନୈତିକତା ମୂଳମନ୍ତ୍ର ସ୍ୱଧର୍ମର
କଷ୍ଟ ସହି ସର୍ବଦା ସୁଖ ଚାହଁ ସନ୍ତାନର
ସତ୍ୟର ପୂଜାରୀ ନିଷ୍ଠାବାନ କର୍ମବୀର
କ୍ଷମାଗୁଣ ପଣେ ସଦା ଦୟାର ଅବତାର
ନିଷ୍କପଟ ସରଳତା ଭରିଛି ହୃଦୟର
ଚିର ସ୍ମରଣୀୟ ସତ୍ତା ତୁମେହିଁ ମୋ' ଈଶ୍ୱର
କୀର୍ତ୍ତି ତୁମର ମହାନ
ଉଦୟନ ଅଂଶୁମାନ
ତେଜୋମୟ ଦୀପ ଭଳି
ମୂଳମନ୍ତ୍ର ତୁମ ବାସ୍ତବତା
ତୁମେତ ସ୍ବୟଂ ଶାଶ୍ୱତ ଅନୁଚିନ୍ତା
ହୃଦୟେ ଭରିଛ କେତେ
ଅସରନ୍ତି ଅନୁକମ୍ପା
ବାପା ll3ll
