କଣ ପାଇଁ ନୂଆବର୍ଷ
କଣ ପାଇଁ ନୂଆବର୍ଷ


କଣ ପାଇଁ ଏ ନୂଆବର୍ଷ
କଣ ପାଇଁ ଏ ମତୁଆଲାପଣ
କଣ ପାଇଁ ଏ ଉନ୍ମାଦନା
କଣ ପାଇଁ ଏ ଉଦ୍ଦୀପନା
କଣ ପାଇଁ ଏ ପାଗଳାମୀ
କଣ ପାଇଁ ଏ ଆନନ୍ଦର ମହୋତ୍ସବ
କଣ ପାଇଁ ଏ ବର୍ଣ୍ଣାଢ୍ୟ ଆୟୋଜନ ।
ବର୍ଷ ଗୋଟିଏ ବଦଳି ଗଲେ
କାନ୍ଥର କ୍ଯାଲେଣ୍ଡର ବଦଳି ଗଲେ
ସଂଖ୍ୟା ଗୋଟିଏ ବଢି ଗଲେ
ଦିନଟିଏ ସରିଗଲେ
ନୂଆ ସକାଳର ସୂର୍ଯ୍ୟ ଉଇଁଲେ
ବଦଳି ତ ଯିବ ନାହିଁ
ଦୁର୍ଗମ ଉପାନ୍ତ ଅଞ୍ଚଳରେ
ଅସହାୟତାକୁ ପାଥେୟ କରି
ଜୀବନ ଜୀଉଁଥିବା ଗରିବ
ବିପନ୍ନ ବନବାସୀଟିର ଭାଗ୍ୟ
ହେବନି ତାହାର ଭାଗ୍ୟୋଦୟ
ହଟିବ ନାହିଁ କଳା ହାଣ୍ଡିଆ ମେଘ
ତାହାର ଭାଗ୍ୟ ଆକାଶରୁ
ସେ ସେମିତି ଯୁଝୁଥିବ ଅହରହ
ବଞ୍ଚିବାର ରାହା ଖୋଜି ଖୋଜି
ଝୁଣ୍ଟୁଥିବ ବାଟ ଅବାଟରେ
କଣ ଅବା ତା'ର ଭଲ ହେବ
ଏଇ ନୂଆବର୍ଷରେ ।
ଘିଅ ମହୁ ଖିରିପୁରିରେ ତ
ଭାସିଯିବନି ଦି' ଓଳି ଦି' ମୁଠା
ଖାଇବାକୁ ପାଉନଥିବା ଅଭାବୀର ଘର
ନିତି ସକାଳ ପରି ନୂଆବର୍ଷର
ନୂଆ ସକାଳରେ ବି ସେ ବାହାରିବ
ଖୋଜିବା ପାଇଁକି ତା'ର ଦାନାପାଣି
ଦରାଣ୍ଡି ଦରାଣ୍ଡି ଫଳ ମୂଳ କନ୍ଦ
ସେ ମେଣ୍ଟାଇବ ଆପଣାର ଭୋକ ଶୋଷ
ତା' ପାଇଁ ବା କି ମହତ୍ତ୍ବ ରଖେ ଏଇ ନୂଆବର୍ଷ ।
ମୁଠେ ବଗଡା ପଖାଳ ଭାତ
ଚିମୁଟାଏ ଲୁଣ କେଇଟା ସବୁଜ ଲଙ୍କାର
ଚିର ଅଭାବ ଅନାଟନଗ୍ରସ୍ତ ତା'ର
ବହୁପ୍ରାଣୀର ଘର ସଂସାର
ନୂଆବର୍ଷର ଝିଲିମିଲି ମାହୋଲରେ
ବି ପୁଣି ତାହାର ହାହାକାର
ଯେଉଁ ତିମିରେ କୁ ସେହି ତିମିରେ
ଆଜିବି ବିଜୁଳି ବତୀ ଜଳୁନି
ତା'ର ଭଙ୍ଗା କୁଡ଼ିଆରେ
ବିକାଶ ଟା କେଉଁଠି ବାଟବଣା
ହୋଇ ପଶିଯାଇଛି ଠିକାଦାର ଆଉ
ଅମଲାତନ୍ତ୍ରୀଙ୍କ ପକେଟ୍ ଭିତରେ
ସେ କି ପାରିବ ମୁକୁଳି ଅନ୍ଧାରୀ
ଅମୁହାଁ କ୍ଷମତା ଅଳିନ୍ଦରୁ
ଏଇ ନୂଆ ବର୍ଷରେ ।
ଯେଉଁ ସଂଭ୍ରାନ୍ତ ଧନାଢ୍ୟ ଗୋଷ୍ଠୀ
ନବ୍ଯ ଧନିକ ପରାଙ୍ଗପୁଷ୍ଟ ଶ୍ରେଣୀ
ଆଜି ମାତିଛନ୍ତି ଉଠି ସୁରାସାକୀର
ନିଶିଥ ମହୋତ୍ସବ ପାଳନରେ
ବିଭୋର ହୋଇ ପବ୍.ରେ
କ୍ଲବ୍.ରେ ତାରକା ହୋଟେଲ୍
ଅବା ହିଲ୍ ଷ୍ଟେସନ୍.ରେ
ସେମାନେ ତ କରିବେ ନିଶ୍ଚୟ
ପ୍ରଗତି ଉନ୍ନତି ନୂତନ ସୂର୍ଯ୍ୟୋଦୟରେ
ରାଜସ୍ବ ପରସ୍ବ ହରଣ କରି
ଗଢୁଥିବେ ମହଲ ପରେ ମହଲ
ଚଢୁଥିବେ ନାମୀଦାମୀ ବିଦେଶୀ
କମ୍ପାନୀର ବିଳାସୀ ଗାଡ଼ି
ଆରୋହଣ କରୁଥିବେ କ୍ଷମତାର
ଶୀର୍ଷତମ ସୋପାନ
ତାହାଙ୍କ ପାଇଁ ତ ଏଇ ନୂଆବର୍ଷ
ହର୍ଷ ଉଲ୍ଲାସ ଓ ଉତ୍ତରୋ
ତ୍ତର
ସମୃଦ୍ଧି ବିକାଶର ଉତ୍ସ ।
ଏସବୁ ତ ସେମାନଙ୍କ ପାଇଁ
ଅବଧାରିତ ବିଧି ନିର୍ଦ୍ଧିଷ୍ଟ
ସବୁକିଛି ହାତପାଆନ୍ତାରେ ତାହାଙ୍କର
କିବା ଚିନ୍ତା ଅଛି କରିବାର?
ସେମାନେ ଅବା କି ବୁଝିବେ
ଦଳିତ ନିସ୍ପେଷିତ ପୀଡିତ
ବାପୁଡ଼ା ଜନତାର ଦୁଃଖ କଷ୍ଟ
ଲୁଣ୍ଠିତ ଅର୍ଥରେ ଯାହାର
ପୁର୍ତ୍ତି ହୁଏ ଉଦର
କାହୁଁ ବା ଜାଣିବ ସିଏ
ଜ୍ୱାଳା ଜଠରାଗ୍ନିର ।
ହୁ ହୁ ହୋଇ ବଢୁଥିବା ମୁଦ୍ରାସ୍ଫୀତି
ଦିନକୁଦିନ ଭାଙ୍ଗି ଦେଉଛି ମେରୁଦଣ୍ଡ
ମେହନତି ଅଭାବୀ ମଣିଷର
ଭାଙ୍ଗି ଯାଉଛି ଖଣ୍ଡେ ପିନ୍ଧି ଗଣ୍ଡେ ଖାଇ
ଦଣ୍ଡେ ଜିଇଁବାର ଆଶା ଆକାଂକ୍ଷା ଇଛା ଅଭିପ୍ସା
ତୁମର ଏ ନୂଆବର୍ଷ କଣ ପୁ୍ନଶ୍ଚ
ସଳଖି ଦେଇ ପାରିବ ଭଗ୍ନ ମେରୁଦଣ୍ଡ
ସେଇ ଅଭାବୀ ମଣିଷମାନଙ୍କର?
କଣ ଚେନାଏ ହସ ଫୁଟାଇ ପାରିବ
ବନ୍ଯା ବାତ୍ଯା ବିପର୍ଯ୍ୟସ୍ତ ଦୁର୍ଗତଙ୍କ ମୁହଁରେ
ଏଇ ନୂଆବର୍ଷ କଣ ଭରି ପାରିବ ହରଷ
ଅକାଳରେ ଆପଣାର ସନ୍ତାନକୁ ହରାଇଥିବା
ଅଭାଗିନୀ ହତଭାଗିନୀ ଜନନୀ ମୁଖରେ
ସର୍ବସ୍ବ ହରାଇଥିବା ସୁକୁମାରୀ ଲଳନା ମୁଖରେ ।
ତୁମ ନୂଆବର୍ଷ କଣ ଦେବ ଟିକିଏ ଉଚ୍ଛ୍ବାସ
ଆସନ୍ନ ମୃତ୍ୟୁର ପ୍ରତୀକ୍ଷାରେ ଦିନ ଗଣୁଥିବା
ଚାରିଆଡ଼ୁ ନିରାଶ ହୋଇଥିବା ରୋଗୀର ମନରେ
ନୂଆବର୍ଷ କଣ ଫେରାଇ ଆଣିବ
ଶୋଷିତ ପ୍ରତାରିତ ଅବହେଳିତ ଜନତାର
ହସିଲା ଖେଳିଲା ସୁମଧୁର ମୁହୂର୍ତ୍ତ ସବୁକୁ
ଲୁଟ୍ ହୋଇଯାଇଥିବା ସୁଖ ଶାନ୍ତି ଐଶ୍ଵର୍ଯ୍ୟକୁ
ନୂଆବର୍ଷ କଣ ଦେଇ ପାରିବ ସାହାରା
ଭୂଲୁଣ୍ଠିତ ବାସ୍ତୁହରା ସର୍ବହରା ବେସାହାରା ମଣିଷକୁ
ଦେଇ ପାରିବ କି ତା'ର ନାର୍ଯ୍ୟ ଅଧିକାର
ନୂଆବର୍ଷ କଣ ଖେଳାଇ ପାରିବ ହସର ଫୁଆରା
ଚଉଦ ପୁରୁଷର ଭିଟାମାଟିରୁ ବିତାଡ଼ିତ
ନିରୀହ ନିରପରାଧ ଶରଣାର୍ଥୀର ମୁଖରେ ।
କିଏ ଅବା ଭରସି କହି ପାରିବ
ଏଇ ନୂଆବର୍ଷ କିଛିଟା ଆଶ୍ୱସ୍ତି ଆଣି ଦେବ
ସନ୍ତ୍ରାସ ଜର୍ଜରିତ ନିଷ୍ପାପ କଅଁଳ ଶିଶୁ ପାଇଁ
ମହାମାରୀର ପ୍ରକୋପରେ ମାତାପିତାଙ୍କୁ
ହରାଇ ଅନାଥ ହୋଇଯାଇଥିବା ଅଗଣିତ
ଅପତ୍ଯବର୍ଗ କଣ କେବେ ଆଉ
ଫେରିପାଇବେ ପିତାର ଶୀତଳ ଛାଇ
ମାତାର ପଣତକାନିର ଅନାବିଳ ସ୍ନେହ
ଏଇ ନୂଆବର୍ଷର ଆଗମନରେ ।
ତୁମ ନୂଆବର୍ଷ ତ କେବଳ ସଂଖ୍ୟାର ଖେଳ
ଗଣିତର ମିଶାଣ ଫେଡାଣ ଗୁଣନ ହରଣ
ଯାହା ପାଲଟେ ବିଡମ୍ବନାର କାରଣ
ଅରକ୍ଷିତ ବେସାହାରା ଜନତା ଲାଗି
କାଳ କାଳ ମହାକାଳର ତାଣ୍ଡବଲୀଳା
ଭାଙ୍ଗୁଥାଏ ସଦା ଦେହ ଓ ମନର ବଳ
ହରୁଥାଏ ସୁଖ ଶାନ୍ତି ପ୍ରୀତିର ସମ୍ବଳ।