STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଅନ୍ୟମନସ୍କ

ଅନ୍ୟମନସ୍କ

1 min
265

ଚହଲା ମନର ହଲିଲା ଛାଇରେ

ଯେବେ ଭାବନାର ଡଙ୍ଗା ଦୋଳେ,

ମନସ୍କ ହୃଦୟ ଅଥଳ ଜଳରେ

ତେବେ ରୂପାଜହ୍ନ ବାଟ ଭୁଲେ। 


ହଜାରେ ସପନ ଅୟୁତ ଆକାଂକ୍ଷା

ଯେବେ କରୁଥାନ୍ତି କୋଳାହଳ,

ଆଶାର ସୁରୁଜ ଅନ୍ତରୀକ୍ଷେ ହଜେ

ତେବେ ଆଖିବୁଝେ ଚକ୍ରବାଳ।


ଅନ୍ୟମନସ୍କ ଏ ବିଜନ ବେଳାରେ

ଯେବେ ରାହା ଖୋଜେ ଆତ୍ମପକ୍ଷୀ,

ଅବସାଦ ଭରା କୁହୁଡ଼ି ପଛରେ

ତେବେ ଚିତ୍ତ ରହେ ଏକା ସାକ୍ଷୀ। 


ଆଖି ଥାଏ ଚାହିଁ ଦୂର ନଭ ପଥେ

ଯେବେ ଦୃଷ୍ଟି ହଜେ ଅନ୍ତରରେ,

ସ୍ୱପ୍ନ ପ୍ରାୟ ଘଟେ ଘଟଣା ପ୍ରବାହ

ତେବେ ବିସ୍ମୃତିର ଅଗଣାରେ। 


ଭାବନାର ଜୁଆରିଆ ବେଳାଭୂମି

ଯେବେ ଉନ୍ମତ ପରାୟେ ନାଚେ,

ବିଶାଳ ସାଗର ଦୀର୍ଘ ଅନ୍ତଃସ୍ଥଳେ

ତେବେ କମ୍ପିତ ପରାଣ ସଞ୍ଚେ। 


କଳ୍ପନାର ବଦ୍ଧ ପକ୍ଷ ଯାଏ ଫିଟି

ଯେବେ ଉଡ଼ିବାର ଇଛା ଜାଗେ,

ବାନ୍ଧି ହୁଏ ନାହିଁ ମନ ଯାନ ବେଗ

ତେବେ ଧାଏଁ ସେ ଇପ୍ସିତ ଦିଗେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract