ଶୂନ୍ୟ ମାତୃତ୍ଵ
ଶୂନ୍ୟ ମାତୃତ୍ଵ
ନୂତନ ଅତିଥିର
ଆଗମନ ସଙ୍କେତରେ
ମନରେ ଖେଳିଥିଲା
ନୂତନ ଶିହରଣ ,
ଅହେତୁକ ଆନନ୍ଦ ଆଉ
ଶୁଷ୍କ ଓଠରେ ଢେଉ ଖେଳୁ ଥିଲା
ହସର ଜୁଆର ।
ଶରୀରେ ଭରିଥିଲା
ନୂତନ ଉନ୍ମାଦନା ।
ଆଖି ବୁଡ଼ି ଯାଇଥିଲା ,
ଭାବନାର ଅତଳ ଗଭୀର
ସମୁଦ୍ରର ଜଳରାଶିରେ ।
ତୋର କୋମଳ ସ୍ପର୍ଶର ଯାଦୁରେ
ହଜେଇ ଦେଲା,
ପାଇଥିଲା ନୂତନ
ପରିଚୟ ମାତୃତ୍ଵର ।
ଦରୋଟି ଓଠର ହସ
କୁଆଁକୁଆଁ କାନ୍ଦରେ
ହସର ଲହରୀ ଖେଳିଯିବା
ପୂର୍ବରୁ ଜଡ ନିର୍ଜୀବ ସଜେଇଲୁ ?
କ'ଣ ପାଇଁ ଆସି ପୁଣି
ହଜିଯାଉଛୁ ?
ଲୁଚକାଳି ଖେଳିବାର
କି ମଜା ପାଉଛୁ ?
ଭାବିଛୁ କି ଥରେ
ତୋର ଅନୁପସ୍ଥିତିର
କଷ୍ଟ କେତେ ଯେ ଯନ୍ତ୍ରଣା ଦାୟକ ?
ଚୋର ମାଆ କାନ୍ଦେ ନାହିଁ
ଯଦି କାନ୍ଦେ ଦୁଆର ଦେଇ,
ତା'ର ଶବ୍ଦ କିଏ ଶୁଣିପାରେ
ନା କାହାକୁ ଶୁଣାଇବାକୁ ଦିଏନି ।
କାହିଁକି ବାରବାର ଏମିତି ଆସି ବିଜୁଳି କନ୍ଯା ଭଳି
ଉଭା ହେଇଯାଉଛୁ
କେଉଁ ଅଦୃଶ୍ୟ ଇଲାକାରେ ?
ଭାବିଛୁ କେବେ ତୁ
ମା'ର କୋଳ ଶୂନ୍ୟ କଲା ପରେ
କେମିତି ବିତୁଛି
ତା ଉପରେ ଏ ଅସ୍ପଷ୍ଟ ଯନ୍ତ୍ରଣା ?
ରାତି ପାହିଲେ ରାମ ରାଜା ହୋଇଥାନ୍ତେ ,
କ୍ଷଣିକ ମଧ୍ୟରେ
ସବୁ ଓଲଟ ପାଲଟ ହୋଇଗଲା
ଆଉ କିଛି ଦିନ ପରେ ପାଇଥିବା ଅସୀମ ପରିକଳ୍ପନା
ପାଣି ଫୋଟକା ପରି ଲୀନ ହୋଇଗଲା ।
ଫୁଟିବା ଆଗରୁ ମଉଳି ଗଲୁ
ଶୁଣିଥିଲି ସବୁ ଫୁଲ ଫୁଟି
ଦେବତାଙ୍କ ଶିରେ ଲାଗି ହୁଏନି
ହଁ .. ଆଜି ନିଜ ଅନୁଭବ କରି ପାରୁଛି
ବୋଧେ ଗଛର ଗୁଣ ପାଇଁ
କଢ଼ରୁ ମଉଳି ଗଲୁ ।
