କମନୀୟ ଧରଣୀ
କମନୀୟ ଧରଣୀ
ପୃଥିବୀଟା ଶୂନଶାନ ପଡିଛି ଘୁମେଇ
ଆତଙ୍କର ପଦଚିହ୍ନ ସ୍ପଷ୍ଟତର ହୋଇ ।
ପୁଲିସ ଗାଡି କେତେଟା ବିକଟାଳ ରଡି
ଭୟାତୁର ପରିସ୍ଥିତି ଦେଉଛି ବିଗାଡି।
ସବୁ ଘର ତାଲା ବନ୍ଦ ଆତଙ୍କିତ ଜନ
ଭରଷା କା ପାଉନାହିଁ ବିରସ ଟି ମନ ।
ପ୍ରଭାତରେ ପ୍ରକୃତିକୁ ଅବଲୋକେ ମୁହିଁ
କମନୀୟ ରୂପ ତା'ର ନିଏ ମନ ମୋହି ।
ନାହିଁ କାରଖାନା ଧୂଆଁ ନାହିଁ ଭିଡଭାଡ
ପ୍ରଦୂଷଣ ମୁକ୍ତ ରାସ୍ତା ଘାଟ ଚାରିଆଡ ।
ପକ୍ଷୀର କାକଳି ଶୁଭେ ଅତି ସୁମଧୁର
ଅଶାନ୍ତ ଧରଣୀ ଅବା ହେଲା ସ୍ୱର୍ଗ ପୁର ।
ବିଶ୍ୱ ନିୟନ୍ତା ଧରାକୁ ଆଉ ଥରେ ଗଢ
ଦେଖି ଚକିତ ହୋଇବ ଏ ମାନବ ମୂଢ ।
ଜଙ୍ଗଲର ସବୁଜିମା ଫେରି ଆସୁ ତହିଁ
ମୟୁର ଚନ୍ଦ୍ରିକା ତୋଳି ମେଘ ଆଣୁ ବହି ।
ନଦୀ ଜଳ ସୁଶୀତଳ ପ୍ରଦୂଷଣ ମୁକ୍ତ
ଆର୍ଯ୍ୟ ମୁନି ଗାନ କରୁ ବେଦ ବାଣୀ ସୁକ୍ତ।
