କଲ୍ୟାଣୀ ଗୋ
କଲ୍ୟାଣୀ ଗୋ
କଲ୍ୟାଣୀ ଗୋ,
ତୁମେ ଚାଲିଆସ
ଚନ୍ଦ୍ରିକାର ଝାପସା ଆଲୋକରେ
ଶ୍ରାବଣର ଅଜସ୍ର ବର୍ଷାରେ
ଗ୍ରୀଷ୍ମର ପ୍ରଚଣ୍ଡ ତାପରେ
ସ୍ମୃତି ତୁମ ଭାସିଆସେ
ବାତାୟନର ପବନ ଫାଶରେ
ଥଣ୍ଡା ପବନରେ
ଚଞ୍ଚଳିତ ମନର
ଉତ୍କଣ୍ଠା ଭିତରେ ।
କେତେବେଳେ ଆସ ତୁମେ
ନିର୍ମଳ ଶରତେ କଇଁ ରୂପେ
ଅବା ତୁମେ ରାଜହଂସ ପୃଷ୍ଠେ
ଗାଇ ଯାଅ ତୁମେ ଗୀତ
ନୀରବତା ସୁରେ ଅବା
କୁନି ଗପ କୁହ ମୋରି କାନରେ ।
ଆମ୍ର ବନେ ଭାସି ଆସ ତୁମେ
ଫଗୁଣର ମଳୟ ସାଥିରେ
ତୁମ ସ୍ଵର ଭାସି ଆସୁ
ଅମାନିଆ କୋଇଲି କଣ୍ଠରେ ।
କଲ୍ୟାଣୀ ଗୋ,
ତୁମେ ପ୍ରସାରିତ ହୁଅ
ମୋର ଭଗ୍ନ ହୃଦୟରେ,
ଜୀବନେ ମୋ ନାଚି ଯାଅ
ଏ ଅନିତ୍ୟ ସଂସାରେ ।