କଳ୍ପନା ସୁନ୍ଦରୀ
କଳ୍ପନା ସୁନ୍ଦରୀ
ନା ତୁ ଗୋଲାପ
ନା ତୁ ଚମ୍ପା
ନା ଜୁଇ ଜାଇ ହେନା
ତୁ ମୋ ପାଇଁ
ଏମିତି
ଫୁଲ କୁଆଁରୀଟିଏ
ତୋ ଭାବନାରେ
ମୁଁ ପଡିଛି ବନ୍ଧା ।।
ଅସ୍ତ ସୁର୍ଯ୍ୟର ଲାଳିମା ତୁ
ପ୍ରସ୍ତର ଗାତ୍ରରେ
ଶିଳ୍ପୀର କଳା ନୈପୁଣ୍ୟ ତୁ
ମୋ ମନର
ନୂତନ ଉତ୍ସାହ ତୁ
ମୋ କ୍ଳାନ୍ତ ମୁଖ ମଣ୍ଡଳରେ
ସନ୍ତୋଷର ଆଭା ତୁ ।।
ତୁ ତ ମୋର
ସପନ ନାୟିକା
ସ୍ମୃତି ଅନାମିକା
ମୋ ସପନରେ ଆସି
ମିଠା ମିଠା କଥା
କହୁ ହରସି ।।
ପରିଚୟ ତୋର
ମୋତେ ଅଗୋଚର
ଭାବନାରେ ମୋର
ତୁ କରିଛୁ ଘର
ନିତି ସପନରେ ଢାଳୁ
ତୁ ପ୍ରେମର ନୀର ।।
ତୁ ଯେବେ ଆସୁ
ମୋ ସପନ ଅଗଣାର
ଗୋଲାପ ଗଛରେ
ଢାଙ୍କି ହୋଇଯାଏ
ନାଲି ଓଢଣା
କେତେବେଳେ ତୁ ରାତ୍ରୀ ସାଜି
ହରିନେଉ ନିଦ ମୋର
ଭରିଦେଉ ସ୍ୱପ୍ନ ଯୁଗ ଯୁଗର ।।
ପୁଣି କେତେବେଳେ
ଶ୍ରାବଣର ବରଷା ପରି
ବରଷି ଯାଇ
ମୋ ହଜିଲା ମନକୁ
ଦେଉ ସଜାଡି
ପୁଣି ଯେବେ ତୁ ସାଜୁ
ମୋ ରାତ୍ରୀ ଆକାଶର ଜହ୍ନ
ମୁଁ ବିରହିଣୀ ନୀଳକଇଁ ପରି
ଝୁରୁଥାଏ ତୋତେ ରାତି ଦିନ ।।