କଳଙ୍କିନୀ
କଳଙ୍କିନୀ
ପ୍ରେମର ରଜ୍ଜୁରେ ବିଶ୍ୱାସ ଖିଅରେ
ଯୋଡିଲି ଜୀବନେ ପ୍ରେମ ସମ୍ପର୍କ
କପଟ ଝଡ଼ରେ ଛିଣ୍ଡିଗଲା ପରେ
ସମାଜେ ବୋହିଲି ନିନ୍ଦା କଳଙ୍କ ।
ହୃଦୟ ସ୍ପନ୍ଦନେ ସାଥିକୁ ରଖିଲି
ଭାବନା ରାଇଜେ ଭ୍ରମଣ କରି
ଆଖିରେ ଆଖିଏ ସପନ ମାଖିଲି
ଯୌବନ ରଙ୍ଗକୁ ଦେହରେ ଭରି ।
ଅବୁଝା ହୃଦୟ କୋମଳ ପରାଣ
କହିଲେ ଭରସା କରିବା ପାଇଁ
ପ୍ରଣୟ ପଥର ପଥିକ ସାଜିଲି
ସମାଜ ସଂସ୍କାର ବନ୍ଧନ ଡେଇଁ ।
ସାଥିର ଛଳନା କାମନା ଲାଳସା
ମେଣ୍ଟାଇ ପ୍ରେମର ପ୍ରମାଣ ଦେଲି
ପାପର ହାଟରେ ବିକ୍ରେତା ହୋଇଲି
ପ୍ରେମିକ କିନ୍ତୁ ସେ ଯାଇଛି ଭୂଲି ।
ସ୍ୱାର୍ଥର ଜଳରେ ପହଁରି ପହଁରି
କରିଲି ପ୍ରେମକୁ ଆକଣ୍ଠ ପାନ
ମିଥ୍ୟା ପ୍ରେମନୀରେ ଶରୀର ପଖାଳି
ସତୀତ୍ୱ ମୋହର ହୋଇଲା ଲୀନ ।
ନିଷିଦ୍ଧ ଇଲାକା ଅନ୍ଧାର ଭିତରେ
ହଜିଲା ସପନ ଆଶା ଆକାଂକ୍ଷା
ପ୍ରତାରଣା କରି ସାଥି ଚାଲିଗଲା
ନିର୍ମଳ ଆକାଶେ ମେଘ ପରିକା ।
ପ୍ରତାରକ ହୋଇ ଭୂଲ ତା'ର ନାହିଁ
କଳଙ୍କିନୀ ହେଲି ନାରୀ ମୁଁ ବୋଲି
ନାରୀତ୍ବ କାନ୍ଦୁଛି କଠୋର ସମାଜେ
ସଂସାର ପଥରେ ମୁଁ ମରୁବାଲି ।
ବର୍ଷା ଆଗମନ କରେ ନାହିଁ ମନେ
ତୃଷ୍ଣା ପାଏ ନାହିଁ ମଧୁର ଜଳ
ଅଲୋଡା ଭାବରେ ପଡିଛି ଭୁଇଁରେ
ପାଇଛି ଜୀବନେ ବିଶ୍ୱାସ ଫଳ ।