STORYMIRROR

Biswanath Nayak

Abstract

3  

Biswanath Nayak

Abstract

କଳନା

କଳନା

1 min
405


ଅନନ୍ତ ଆକାଶ କେବେ

କଳନା କରି ପାରେନା

ତା' ନିଜର ଅସୀମତା,ବ୍ୟାପ୍ତି, ପରିସୀମା,

      ସୀମାହୀନ ରତ୍ନାକର

      ପଢ଼ି ତ ପାରେନା କେବେ

      ତା' ଗଭୀର ନୀରବତା,ପ୍ରାଚୁର୍ଯ୍ୟ , ଗାରିମା।  


ଷୋଡ଼ଶୀ ରୂପସୀ ବାଳା

କଳନା କରି ପାରେନା

ତା'ଠାରେ ଭରିଛି ସ୍ରଷ୍ଟା କେତେ ଯେ ସୁଷମା,

        କଳି ପାରେନାହିଁ କବି

         ତା' କବିତାର ଛାନ୍ଦରେ

         ଭରା ଅଛି କେତେ ସ୍ଵାଦ କେତେ ମାଧୁରୀମା।  


ନର୍ତ୍ତକୀ ଜାଣେନା ନିଜେ

ତା' ପାଦ ନୁପୁର ଛନ୍ଦେ

ପୁରିଅଛି କେତେ ମଧୁ କେତେ ମାଦକତା,

         ଘଞ୍ଚ ସବୁଜ ପାଦପ

         କଳନା ପାରେନା କରି

          ଛାୟାରେ ତା' ଭରିଅଛି କେତେ ଶୀତଳତା।  


ଧରଣୀ ଜାଣି ପାରେନା

ସହିବାକୁ ସବୁ ଭାର

ତା' ପାଖରେ ଅଛି କେତେ ସହନଶୀଳତା,

        ଜନନୀ ପାରେନା ଜାଣି

        ତା'ର ସ୍ନେହ ପଣତରେ

        ସନ୍ତାନର ପାଇଁ କେତେ ବାତ୍ସଲ୍ୟ ମମତା। 


ରଜନୀଗନ୍ଧା ଜାଣେନା

ପ୍ରିୟାର କବରୀ ପାଇଁ

ତା' ନିକଟେ ଭରା ଅଛି କେତେ ଯେ ସୁରଭି,

         ପ୍ରେୟସୀ କଳି ପାରେନା

          ପ୍ରିୟ ମନ ମୁକୁରରେ

          କେତେ ଯେ ସୁନ୍ଦର ଦିଶେ ତା'ର ପ୍ରତିଛବି।  


ତପନ ପାରେନା ଜାଣି

ପଙ୍କଜ ଫୁଟିବା ପାଇଁ

 ତା'ର କର ପରଶରେ କେତେ ଯେ ଉଷ୍ମତା,

           ବିଭୁ- ସତ୍ତା ଏ ମଣିଷ

           ଜାଣିତ ପାରେନା ନିଜେ

           ତା' ହୃଦ କନ୍ଦରେ ବିଜେ ଜଗତ କରତା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract